ପଶ୍ଚିମ ଓଡିଶାର ୫୧୬୫ ବର୍ଗ କି.ମି ଅଞ୍ଚଳ ଓ ୧୬୪୮୫୭୫ (୨୦୧୧ ଜନଗଣନା) ଲୋକ
ସଂଖ୍ୟା ବିଶିଷ୍ଟ ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ପରିବେଶ ମଧ୍ୟରେ ଅନେକ ମନୋରମ ଦର୍ଶନୀୟ
ସ୍ଥାନ ରହିଛି | ବଲାଙ୍ଗିର ଜିଲ୍ଲାର ତାନ୍ତ୍ର ସାଧନାର ଏୈତିହାସିକ ପୃଷ୍ଠ ଭୂମି ମଧ୍ୟ ରହିଛି |
ଏହା ବ୍ୟତୀତ ଏହା ଏକ ପ୍ରାଚୀନ ସହର | ତୃତୀୟ ପର୍ଯ୍ୟାୟରେ ଆମେ ବଲାଙ୍ଗିର ଜିଲ୍ଲାର କେତେକ
ପ୍ରମୁଖ ଦର୍ଶନୀୟ ସ୍ଥାନ ବିଷୟରେ ଆପଣଙ୍କୁ ସୂଚନା ଦେବାକୁ ନିଶ୍ଚୟ ଚାହିଁବୁ | ତେବେ ଆସନ୍ତୁ
ବୁଲି ଯିବା ବଲାଙ୍ଗିର ଜିଲ୍ଲାର ଏହି ସବୁ ଚିତ୍ତାକର୍ଷକ ସ୍ଥାନ :-
•ଭୀମା ଡୁଙ୍ଗୁରି:
ବଲାଙ୍ଗିର ଜିଲ୍ଲାର ଦେଓଗାଁ ତହସିଲରେ ଭୀମାଡୁଙ୍ଗୁରି ଦର୍ଶନୀୟ ସ୍ଥାନ ରହିଛି
ଯାହାର ଦୂରତା ବଲାଙ୍ଗିର ସହର ଠାରୁ ୨୮ କି.ମି. | ରାଇପୁର(ଛତିଶଗଡ ରାଜ୍ୟ)ର ସ୍ବାମୀ
ବିବେକାନନ୍ଦ ବିମାନ ବନ୍ଦର ଓ ଭୁବନେଶ୍ବରର ବିଜୁପଟ୍ଟନାୟକ ବିମାନ ବନ୍ଦର ଏହି ସ୍ଥାନ ଠାରୁ
ଯଥାକ୍ରମେ ୨୦୧ ଓ ୨୪୮ କି.ମି. ଦୂର ଅଟେ | ବଲାଙ୍ଗିର ସହରରୁ ଭୀମାଡୁଙ୍ଗୁରି କୁ ଯିବା ପାଇଁ
ବସ୍, ଟ୍ୟାକ୍ସିର ସୁବିଧା ରହିଛି |
ଏହି ପ୍ରାକୃତିକ ବନ ଜଙ୍ଗଲ ଭରା ପାହାଡିଆ ଅଞ୍ଚଳରେ ଆପଣ ଅନେକ ଗୁମ୍ଫା
ଦେଖିବାକୁ ପାଇବେ | ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋମୁଗ୍ଧକର | ଏହା ନିକଟସ୍ଥ
ଲୋକମାନେ ଏହି ଅଞ୍ଚଳରେ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣିମାରେ ଗିରିଗୋବର୍ଦ୍ଧନ ପୂଜା ସହ ମେଳା
ଓ ସଂକୀର୍ତ୍ତନ ମଧ୍ୟ କରି ଥା’ନ୍ତି |
• ତୁରେଇକେଳା:
ବଲାଙ୍ଗିର ସହର ଠାରୁ ୯୮ କି.ମି. ଦୂରରେ ପ୍ରାକତିକ ବନ ଜଙ୍ଗଲ ପାହାଡ ପରିପୂର୍ଣ
ତୁରେଇକେଳା ଦର୍ଶନୀୟ ସ୍ଥାନ ଅବସ୍ଥିତ | ଦଳବଦ୍ଧ ଭାବେ ଏଠାକୁ ବୁଲି ଯାଇ ଆଡେଭଞ୍ଚର୍ ର ମଜା
ନେବା ପାଇଁ ଏହି ସ୍ଥାନଟି ବହୁତ ବଢିଆ | ଏଠାରେ ଆପଣ ରଙ୍ଗବେରଙ୍ଗର ବାଘ, ଭାଲୁ, ହରିଣ, ଶିଆଳ,
ହାତୀ, ଗଧିଆ, ମାଙ୍କଡ ଆଦି ଅନେକ ବନ୍ୟ ପଶୁ ପକ୍ଷୀ ଦେଖିବାକୁ ପାଇବେ |ଏହି ପରିବେଶରେ
ପକ୍ଷୀମାନଙ୍କର କିଚିରି-ମିଚିରି ଶବ୍ଦ ସବୁବେଳେ ଶୁଣାଯାଏ | ବିଦ୍ୟାଳୟ, ମହାବିଦ୍ୟାଳୟ ର
ଛାତ୍ର-ଛାତ୍ରୀ, ପରିଦର୍ଶକଙ୍କ ବୁଲିବା ପାଇଁ ଏହି ସ୍ଥାନ ବହୁତ ଭଲ | ପ୍ରକୃତି କୋଳରେ ଯଦି ଆପଣ
କିଛି ସମୟ ଅବସର ବିନୋଦନରେ ବିତାଇବାକୁ ଚାହିଁବେ ତେବେ ଏହି ସ୍ଥାନ ଭ୍ରମଣରେ ନିଶ୍ଚୟ ଯା’ନ୍ତୁ
|
•ଗାଈଖାଇ:
ଗାଈଖାଇ ବଲାଙ୍ଗିର ସହର ଠାରୁ ୩୦ କି.ମି. ଦୂରରେ ଅବସ୍ଥିତ | ଏହି ସ୍ଥାନର
ତିନୋଟି ପାର୍ଶ୍ବ ସବୁଜିମାପୂର୍ଣ ପାହାଡ ଦ୍ବାରା ପରିବେଷ୍ଟିତ | ଏଠାରେ ଥିବା ସ୍ବଚ୍ଛ ଜଳରାଶି
ହେତୁ ଭ୍ରମଣକାରୀମାନେ ଶୀତଳ ପବନର ଆନନ୍ଦ ନେଇ ପାରନ୍ତି | ବଣଭୋଜିର ଆନନ୍ଦ ନେବା ପାଇଁ ଏହି
ସ୍ଥାନ ବେଶ୍ ବଢିଆ |
•ସଇନ୍ତଳା ଚଣ୍ଡୀ ମନ୍ଦିର:
ସଇନ୍ତଳା ଚଣ୍ଡୀ ମନ୍ଦିର ବଲାଙ୍ଗୀର ସହରର ଦକ୍ଷିଣ ଦିଗରେ ୩୮ କି.ମି. ଦୂରରେ
ଅବସ୍ଥିତ | ଏହି ସ୍ଥାନରେ ଥିବା ଚଣ୍ଡୀ ମାତାଙ୍କର ମହିଷାମର୍ଦ୍ଦିନୀ ମୂର୍ତ୍ତି ଓ ବିଷ୍ଣୁଙ୍କର
ଦଶାବତାର ମୂର୍ତ୍ତି ଏଠାକାର ମୁଖ୍ୟ ଆକର୍ଷଣ |
•ଯୋଗିସରଡା: ଯୋଗେଶ୍ବର ଶୈବ ପୀଠ ପାଇଁ ଯୋଗିସରଡା ପ୍ରସିଦ୍ଧ ଓ ଏହା
ବଲାଙ୍ଗିର ସହର ଠାରୁ ୨୫ କି.ମି. ଦୂରରେ ଅବସ୍ଥିତ | ଏଠାରେ ଥିବା ଶିବ ଲିଙ୍ଗ ସ୍ବତଃ ବୃଦ୍ଧି
ପାଉଛନ୍ତି ବୋଲି କୁହାଯାଏ | ତେଣୁ ଏଠାରେ ପୂଜା ପାଉଥିବା ଯୋଗେଶ୍ବର ମହାଦେବଙ୍କୁ ଲୋକ ମାନେ
ଜୀବନ୍ତ ଇଶ୍ବର ବୋଲି ବିଶ୍ବାସ କରିବା ସହ ସେ ମନୁଷ୍ୟର ସବୁ ମାନସିକ ଓ ଇଚ୍ଛାକୁ ପୂରଣ କରନ୍ତି
ବୋଲି ମଧ୍ୟ ଶ୍ରଦ୍ଧାଳୁଙ୍କର ବିଶ୍ବାସ ରହିଛି | ମହାଶିବ ରାତ୍ରି ଏବଂ ଶିବ-ପାର୍ବତୀ ବିବାହ
ଉସ୍ଛବରେ ଏହି ଶୈବ ପୀଠରେ ଭକ୍ତମାନଙ୍କର ଖୁବ୍ ଭିଡ ଜମେ |
ଆପଣଙ୍କୁ ଆଜି ଆମେ ବଲାଙ୍ଗିର ଜିଲ୍ଲାର କେତୋଟି ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ
ବିଷୟରେ ଜଣାଇଲୁ | ଆଗାମୀ ପୋଷ୍ଟରେ ମଧ୍ୟ ଆମେ ଆପଣଙ୍କୁ ବଲାଙ୍ଗିର ଜିଲ୍ଲାର ଆଉ କେତୋଟି
ମନୋରମ ଭ୍ରମଣ ଉପଯୋଗୀ ସ୍ଥାନ ବିଷୟରେ ସୂଚନା ଦେବୁ | ଆଶା କରୁଛୁ ଆମର ଏହି ପୋଷ୍ଟ ଆପଣଙ୍କୁ
ବଲାଙ୍ଗିର ଜିଲ୍ଲା ପରିଦର୍ଶନ କରିବାରେ ଯଥେଷ୍ଟ ସହାୟକ ହେବ |
ବଲାଙ୍ଗୀର ଜିଲ୍ଲାର ପର୍ଯ୍ୟଟନ ସ୍ଥଳ

Tourist Place of Balangir Dist
0 Comments