Kendrapara is a tourist destination in the district Part-1


849
According to the scriptures of Tulsi Das, 4 mantras of success ...
According to the scriptures of Tulsi Das, 4 mantras of success ...

ବିଷୟ: ଭ୍ରମଣ କରି ଯା’ନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଏହିସବୁ ପର୍ଯ୍ୟଟନ ସ୍ଥଳ |
୧୯୯୩ ମସିହା ଏପ୍ରିଲ ପହିଲାରେ ଅବିଭକ୍ତ କଟକ ଜିଲ୍ଲାରୁ ପୃଥକ ହୋଇ କେନ୍ଦ୍ରାପଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଛି । ୨୬୪୪ ବର୍ଗ କିଲୋମିଟର ପରିମିତ ଏହି ଜିଲ୍ଲା ଜନସଂଖ୍ୟା ବହୁଳ। ୨୦୧୧ ଜନଗଣନା ଅନୁଯାୟୀ ଏହି ଜିଲ୍ଲାରେ ଲୋକସଂଖ୍ୟା ୧୪,୪୦,୩୬୧ | ଓଡିଶାର ପୂର୍ବ ଉପକୂଳରେ ଅବସ୍ଥିତ ଏହି ଜିଲ୍ଲା ଶିକ୍ଷା , ଶାସନ ଓ ସଂସ୍କୃତି ଦୃଷ୍ଟିରୁ ବେଶ୍ ଏକ ସମୃଦ୍ଧଶାଳୀ ପରିଚୟ ବହନ କରେ। ଏଠାରେ ଥିବା ସିଦ୍ଧ ଶ୍ରୀ ବଳଦେବ ଜୀଉଙ୍କ ପୀଠ ପାଇଁ; ତୁଳସୀକ୍ଷେତ୍ର ରୂପେ କେନ୍ଦ୍ରାପଡ଼ା ସୁବିଦିତ ।କଟକ ଠାରୁ ୫୫ କି.ମି ଦୂରରେ ଅବସ୍ଥିତ କେନ୍ଦ୍ରାପଡ଼ା ନଦନଦୀ ପରିପୂର୍ଣ। ଲୁଣା , କରାଣ୍ଡିଆ, ଗୋବରୀ, ବ୍ରାହ୍ମଣୀ, ବିରୂପା, ଖରସ୍ରୋତା, ପାଇକା ଆଦି ନଦୀ କେନ୍ଦ୍ରାପଡ଼ା କୁ କରିଛି ଶସ୍ୟ ଶ୍ୟାମଳା।କୃଷି ଭିତ୍ତିକ କେନ୍ଦ୍ରାପଡ଼ା ଜିଲ୍ଲା ର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ।
ପର୍ଯ୍ୟଟନ ଦୃଷ୍ଟିରୁ ସବୁ ଅଞ୍ଚଳର ଯେପରି ପୃଥକ ବିଶିଷ୍ଟତା ଓ ଆକର୍ଷଣ ରହିଥାଏ ସେହିପରି ଏକ ସ୍ଵକୀୟ ସୁଖ୍ୟାତି ମଧ୍ୟ ଏହି ଜିଲ୍ଲାରେ ରହିଛି । ପାରମ୍ପରିକ ପୁରାତନ ମଠ ମନ୍ଦିରସ୍ଥଳୀ ଠାରୁ ଆରମ୍ଭକରି ଅନାଲୋଚିତ ବୌଦ୍ଧ କୀର୍ତିରାଜି ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ । ଏହାଛଡା ବିଭିନ୍ନ ସମୟ ଓ ଅବସରରେ ପାଳନ କରାଯାଉଥିବା ଯାନିଯାତ୍ରା ଓ ପୂଜା ମେଳଣ ପ୍ରଭୃତି ବହିରାଗତଙ୍କୁ ଏହି ଜିଲ୍ଲା ପ୍ରତି ଆକଷ୍ଟ କରାଇଥାଏ। ସମ୍ପ୍ରତି ପର୍ଯ୍ୟଟନ କ୍ଷେତ୍ରରେ ଦେଖା ଦେଇଥିବା ନୂଆ ଧାରାରେ ପାରମ୍ପରିକ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରକୁ ପଛରେ ପକାଇ ପ୍ରାକୃତିକ ପର୍ଯ୍ୟଟନ ଏହି ଦୌଡରେ ସବା ଆଗରେ ରହିଛି । ପ୍ରକୃତିର ହାତଖୋଲା ଦାନ ସ୍ୱରୂପ କେନ୍ଦ୍ରାପଡ଼ା ଜିଲ୍ଲା ଉଭୟ ପ୍ରାକୃତିକ ଓ ସାମୁଦ୍ରିକ ପର୍ଯ୍ୟଟନ ନିମନ୍ତେ ଏକ ପ୍ରଶସ୍ତ କ୍ଷେତ୍ର । ଏଠାରେ ଏସିଆର ଦ୍ବିତୀୟ ବୃହତ୍ତମ ଲୁଣା ଜଙ୍ଗଲ ରହିଛି । ତା’ ସହିତ ରହିଛି କୁମ୍ଭୀର ପ୍ରଜନନ କେନ୍ଦ୍ର ଭିତରକନିକା ଜାତୀୟ ଉଦ୍ୟାନ ଓ ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ଏବଂ ଉତ୍ତରରେ ଧାମରାଠାରୁ ଆରମ୍ଭକରି ଦକ୍ଷୀଣରେ ମହାନଦୀମୁହାଣ ପର୍ଯ୍ୟନ୍ତ ପ୍ରାୟ ୪୮ କି.ମି ବ୍ୟାପୀ ସମୁଦ୍ର ଉପକୂଳ ତତସଲଗ୍ନ ଛୋଟ ଛୋଟ ଦୀପ ଯାହା ନିଃସନ୍ଦେହରେ ଭ୍ରମଣକାରୀ ମାନଙ୍କୁ ପରିପୂର୍ଣ ସନ୍ତୋଷ ଦେଇ ଥାଏ।
ଆଜି ଆମେ ଆପଣଙ୍କୁ କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବିଷୟରେ ଜଣାଇବାକୁ ଚାହିଁବୁ |
•ଭିତର କନିକା: ଭଞ୍ଜ ରାଜବଂଶ ଦ୍ଵାରା ତ୍ରୟୋଦଶ ଶତାବ୍ଦୀରୁ ଶାସିତ ପ୍ରାଚୀନ କନିକା ରାଜ୍ୟର ରିଘାଗଡ ଓ କଳଦ୍ଵୀପଗଡ ମଧ୍ୟସ୍ଥ ୧୪୫ ବର୍ଗମାଇଲ୍ ପରିମିତ ସାମୁଦ୍ରିକ ଲୁଣା ଜଙ୍ଗଲକୁ ଭିତରକନିକା ଜଙ୍ଗଲ ବୋଲି କୁହାଯାଏ । ଏହା ୮୬ °୪୫’ ଠାରୁ ୮୭°୦୩’ ପୂର୍ବ ଅକ୍ଷାଂଶ ଓ ୨୦°୩୦’ ଠାରୁ ୨୦°୪୮’ ଉତ୍ତର ଦ୍ରାଘିମା ମଧ୍ୟରେ ଅବସ୍ଥିତ ହୋଇଅଛି । ଏହା ୧୯୫୭ ରେ ଆଠଗଡ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରଯାଇଥିଲା । ତେବେ ଭାରତୀୟ ଜଙ୍ଗଲ ସଂରକ୍ଷଣ ଆଇନ ୧୯୨୭ର ୨୯ ଧାରା ଅନୁଯାୟୀ ଯେଉଁ ଆଇନ ସରକାରୀ ନୋଟିସ ନମ୍ବର ୩୩୨୩୩ ,୪ ଅକ୍ଟୋବର ୧୯୬୧ ରେ ପ୍ରକାଶିତ ତା ୨୨-୦୪-୧୯୭୫ ମସିହାରେ ଏହାକୁ ଅଭୟାରଣ୍ୟ ଭାବରେ ଘୋଷଣା କରାଯିବ ସହିତ ଏହି ଜଙ୍ଗଲକୁ ରାଜନଗର ଜଙ୍ଗଲ ବିଭାଗ କାତତ୍ୱରେ ରଖାଯାଇ ଅଛି | ୧୯୮୮ ମସିହା ଅକ୍ଟୋବର ମାସ ୩ ତାରିଖରେ ନଂ ୮ ଏଫ୍ ୫୩/୮୮ ,୨୨୯୦୪/ଏଫ୍,ଏଫ୍,ଏ,ଏଚ୍ ଅନୁଯାୟୀ ଓଡିଶା ସରକାରଙ୍କ ତରଫରୁ ପି.କେ ମହାନ୍ତି ସରକାରୀ ସଚିବ ଏହି ଅଭୟାରଣ୍ୟ କୁ ‘’ଜାତୀୟ ଉଦ୍ୟାନ‘’ ଭାବେ ଘୋଷଣା କରିଥିଲେ । ଭିତରକନିକା ଜଙ୍ଗଲ କହିଲେ ,ତହିଁ ମଧ୍ୟରେ ରହିଛି ଭିତରକନିକା ,ଡାଙ୍ଗମାଳ ଓ ଗହୀରମଥା ପରି ବିସ୍ତୃତ ସାମୁଦ୍ରିକ ଜଙ୍ଗଲ ଅଞ୍ଚଳ । କୁମ୍ଭୀର ପ୍ରଜଜ୍ଜନ ଅଞ୍ଚଳ ଭାବରେ ଭିତରକନିକା ସମଗ୍ର ପୃଥିବୀରେ ପରିଚିତ | ପ୍ରଥମେ ୧୯୭୫ ମସିହା ଡକ୍ଟର ଏଇଚ୍,ଆର,ବଷ୍ଟାଡି ନାମକ ଜଣେ ଗୋରା ସାହେବ ବିଲୁପ୍ତ ବଉଳା କୁମ୍ଭୀର ସଂରକ୍ଷଣ କରିବା ପାଇଁ ଏଠାରେ ଯୋଜୋନା ଆରମ୍ଭ କରିଥିଲେ । ଭିତରକନିକା ଅଞ୍ଚଳ ଅନ୍ତର୍ଗତ କାଳିଭଞ୍ଜଡିଆ ଅଞ୍ଚଳରୁ ସଂଗୃହୀତ କୁମ୍ଭୀର ଅଣ୍ଡାରୁ କୃତ୍ରିମ ପ୍ରଣାଳୀରେ ୧୯୭୫ ମସିହା ଅଗଷ୍ଟ ମାସରେ ଜନ୍ମ ନେଇଥିଲା ସମଗ୍ର ପୃଥିବୀର ବଉଳା ଧଳା କୁମ୍ଭୀର ”ଗୌରୀ” ଯାହାକୁ ପ୍ରଥମେ ଗବେଷକ ସୁଧାକର କର ଓ ଡଃ ବଷ୍ଟର୍ଡ ଚିହ୍ନିଥିଲେ ଓ ଅବସରପ୍ରାପ୍ତ ରାଜସ୍ୱ ପର୍ଷଦ ଶ୍ରୀ ବିଘ୍ନରାଜ ପଟେଲ୍ ଏହାର ନାମ ଦେଇଥିଲେ “ଗୌରୀ” | ୧୯୮୪ ମସିହାରେ ଏହାକୁ ଏକ ଆବଦ୍ଧ ପୁଷ୍କରିଣୀରେ ଛାଡିଦିଆ ଯାଇଥିଲା ।
ଭିତରକନିକା ଜଙ୍ଗଲରେ ରହିଛି ୬୩ ପ୍ରକାର ର ବୃକ୍ଷ ଓ ୧୬୬ କିସମର ପକ୍ଷୀଙ୍କର ନିବାସସ୍ଥଳୀ। ଭିତରକନିକା ଅଞ୍ଚଳରୁ ୧୬ କିସମର ମାଛ ଓ ୮ ପ୍ରଜାତିର କଙ୍କଡା ମିଳି ଥା’ନ୍ତି । ଜଙ୍ଗଲ ମଧ୍ୟରେ ୧୪ ପ୍ରକାର ପଶୁ ବସବାସ କରୁଥିଲା ବେଳେ ହରିଣ ମାନଙ୍କର ସଂଖ୍ୟା ସର୍ବାଧିକ ।
ଜିଲ୍ଲା ଦପ୍ତର ଠାରୁ ଭିତରକନିକା ର ଦୂରତା ୬୫ କି.ମି, କଟକରୁ ୧୨୫ କି.ମି ,ଭୁବନେଶ୍ଵର ଠାରୁ ୧୪୫ କି.ମି ଓ ରାଜନଗର ଠାରୁ ୩୦ କିଲୋମିଟର ଅଟେ । ତେବେ ଗୁଫି ନିକଟରୁ ଲଞ୍ଚ୍ ଯୋଗେ ପାଟଶାଳା ନଦୀ ଦେଇ ଭିତରକନିକା ଅଭୟାରଣ୍ୟକୁ ସହଜରେ ଯିବାର ସୁବିଧା ରହିଛି। ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୩-୧୪ ମସିହାରେ ୧୬୯ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ଦେଶୀୟ ମୋଟ୍ ୫୫,୪୦୫ ଜଣ ଏହାକୁ ଭ୍ରମଣ କରିଥିଲେ ।
•ଗହୀର ମଥା: ଅଲିଭ ରିଡଲେ କଇଁଛ ଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ନିକଟବର୍ତୀ ସ୍ଥାନ ଗହୀରମଥା ବିଶ୍ଵପ୍ରସିଦ୍ଧ । ସୁଦୂର ପ୍ରଶାନ୍ତ ମହାସାଗର ରୁ ଲକ୍ଷ ଲକ୍ଷ କଇଁଛ  ଗହିର ମଥା ସମୁଦ୍ର କୂଳକୁ ଅଣ୍ଡା ଦେବା ପାଇଁ ଆସନ୍ତି ।ଗହିରମଥା ର ପ୍ରାକୃତିକ ପରିବେଶ ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକର୍ଷିତ କରି ଥାଏ ।
ଏହି କଇଁଛ ମାନଙ୍କ ସୁରକ୍ଷା ପାଇଁ  ସରକାର ସ୍ଵତନ୍ତ୍ର  ବ୍ୟବସ୍ଥା  କରିଛନ୍ତି। ଗହୀରମଥା ହେଉଛି ସମଗ୍ର ପୃଥିବୀରେ ଅଲିଭରିଡେଲ କଇଁଛଙ୍କ ଏନ୍ତୁଡିଶାଳ। ସରକାରୀ ନୋଟିସ ନଂ ୧୮୮୦୫ ଏଫ୍. ଆଣ୍ଡ .ଇ ତାରିଖ ୨୭.୦୯.୧୯୯୭ ରେ କଇଁଛ ମାନଙ୍କ ଅଭୟ ଆଶ୍ରୟ ସ୍ଥଳି ଭାବେ ଘୋଷଣା କରାଯାଇ ଥିଲା । ଏହାର ସମସ୍ତ ଅଞ୍ଚଳ ହେଉଛି ୧୪୩୫ ବର୍ଗ କି.ମି ଓ ଏଥି ମଧ୍ୟରୁ ୧୪୦୫ ବର୍ଗ କି.ମି ସାମୁଦ୍ରିକ ଅଞ୍ଚଳ ଓ ୨୭ ବର୍ଗ କି.ମି ହେଉଛି ସଂରକ୍ଷିତ ଜଙ୍ଗଲ,କାଦୁଅ ମାଟି ଓ ବାଲିପୁର୍ଣ୍ଣ ଅଞ୍ଚଳ । ଏହି ସ୍ଥାନରୁ ନିକଟବର୍ତ୍ତୀ ରେଳ ଷ୍ଟେସନ୍ କଟକ ର ଦୂରତା ୧୨୫ କି.ମି ଅଟେ | ତେବେ ଗୁଫି ନିକଟରୁ ଲଞ୍ଚ୍ ଯୋଗେ ପାଟଶାଳା ନଦୀ ଦେଇ ଗହୀରମଥା କୁ ସହଜରେ ଯିବାର ମଧ୍ୟ ସୁବିଧା ରହିଛି। 
•ତୁଳସୀ କ୍ଷେତ୍ର: କେନ୍ଦ୍ରାପଡା ର ଅନ୍ୟ ନାମ ତୁଳସୀ କ୍ଷେତ୍ର। ତୁଳସୀ କ୍ଷେତ୍ରର ମହାତ୍ମ୍ୟ ଅନୁଯାୟୀ ଶ୍ରୀ ବଳଦେବ ଦ୍ଵାପର ଯୁଗ ଅନ୍ତଃ କାଳରେ ଲଳିତ ଗିରିରେ ବାସ କରୁଥିବା ଦୁର୍ଦ୍ଦାନ୍ତ ଅତ୍ୟାଚାରୀ ରାକ୍ଷସ କନ୍ଦରାକୁ ଏହି ସ୍ଥାନରେ ହଳ ମୁଷଳ ଆୟୁଧରେ ହତ୍ୟା କରିଥିବାରୁ ଏହି ସ୍ଥାନର ନାମ ‘କନ୍ଦରୁ ପାଢୀ’ ବା କେନ୍ଦ୍ରାପଡା । ତେଣୁ କେନ୍ଦ୍ରାପଡାକୁ ଲୋକେ ତୁଳସୀକ୍ଷେତ୍ର ବୋଲି କହି ଥାଆନ୍ତି । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଶ୍ରୀ ବଳଦେବ ଜୀଉ ହେଉଛନ୍ତି କେନ୍ଦ୍ରାପଡା ବାସୀଙ୍କର ଆରାଧ୍ୟ ଦେବତା ଓ ତାଙ୍କ ଭୁବନ ବିଖ୍ୟାତ ନୈବେଦ୍ୟ “ରସାବଳୀ” ଅତି ପ୍ରିୟ ଓ ସର୍ବନ୍ତକରେଣ ରେ ଗ୍ରହଣୀୟ । ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର କେନ୍ଦ୍ରାପଡା ସହରସ୍ଥିତ ଶାମଗୁଡିଆ ରାଜସ୍ୱ ଓ ବଡ ବାରଙ୍ଗ ରାଜସ୍ୱ ଗ୍ରାମଦ୍ୱୟରେ ଅବସ୍ଥିତ । ତେବେ ଲୋକମୁଖରେ ଏହି ଗ୍ରାମକୁ “ଇଚ୍ଛାପୁର” ବୋଲି କୁହାଯାଏ। ଏ ମନ୍ଦିର ମହାପ୍ରଭୁଙ୍କ ତୃତୀୟ ବିଜେ ସ୍ଥଳୀ । ମୋଗଲ ସୁବାଦାର ଖାନ-ଇ-ଦୌରାନଙ୍କ ଦ୍ଵାରା କେନ୍ଦ୍ରାପଡା ସହରର ମଧ୍ୟ ଭାଗରେ ଅବସ୍ଥିତ ପ୍ରାକ୍ତନ ମନ୍ଦିର ୧୬୬୩ ମସିହା ଜୁନ ୧୭ ତାରିଖରେ ଧ୍ଵଂସ ନେଲାପରେ ୧୭୦୦ ମସିହ ସୁଦ୍ଧା କୁଜଙ୍ଗ ନରେଶ ଓ ଛେଦରା ବାରଙ୍ଗ ରାଜା , ଗୋପୀନାଥ ନରେନ୍ଦ୍ର ଓ ଜଗନ୍ନାଥ ମହାପାତ୍ରଙ୍କ ମିଳିତ ସହଯୋଗରେ ବର୍ତ୍ତମାନର ମୁଖ୍ୟ ମନ୍ଦିର ନିର୍ମିତ ହୋଇଥିଲା । ମଝି ମନ୍ଦିର ମଣିକା ଦେବୀ ଓ ଜଗମୋହନ ମନ୍ଦିର ପ୍ରଥମ ମହନ୍ତ ଷଡଗୋପୀ ରାମାନୁଜ ଦାସ ଏବଂ ପ୍ରବେଶ ମନ୍ଦିର ବା ବାଟ ଦେଉଳ ଜଗନ୍ନାଥ ଭ୍ରମର ବର ରାୟଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ସମଗ୍ର ମନ୍ଦିରର ଆବାସସ୍ଥଳୀର ପରିମାଣ ହେଉଛି ପ୍ରାୟ ତିନି ଏକର । ମୁଖ୍ୟ ଗର୍ଭ ଗୃହର ଉଚ୍ଚତା ୭୫ ଫୁଟ ,ମଝି ମନ୍ଦିରର ଉଚ୍ଚତା ୪୦ ଫୁଟ,ଜଗମୋହନ ଉଚ୍ଚତା ୬୫ ଫୁଟ ଓ ବାଟ ଦେଉଳର ଉଚ୍ଚତା ୭୦ ଫୁଟ । ମନ୍ଦିର ବେଢା ମଧ୍ୟରେ ରହିଛି ୪୫ ଫୁଟ ଉଚ୍ଚ ନିର୍ମିତ ଭବ୍ୟ ମହାଲକ୍ଷ୍ମୀ ମନ୍ଦିର,ସମସ୍ତ ମନ୍ଦିର ପିଢ ଶୈଳୀରେ ନିର୍ମିତ ହୋଇଅଛି । ମୁଖ୍ୟ ମନ୍ଦିର ଉଡୁଥିବା ପତାକାକୁ “ବ୍ରହ୍ମଚିରାଳ” ବା ‘ବ୍ରହ୍ମ ବାନା’ ବୋଲି କୁହାଯାଉଥିଲା ବେଳେ ମନ୍ଦିର ଅଗ୍ରଭାଗରେ ଥିବା ୫ ଫୁଟ ଉଚ୍ଚର ନୀଳଚକ୍ରକୁ “ବ୍ରହ୍ମନୀଳଚକ୍ର” ବୋଲି କୁହାଯାଇଥାଏ । ଏହି କ୍ଷେତ୍ରକୁ ତୁଲସୀ କ୍ଷେତ୍ର, ଗୁପ୍ତ କ୍ଷେତ୍ର , ଗୁପ୍ତ ବୃନ୍ଦାବନ, ଶ୍ରୀ ବଳଦେବଙ୍କ କ୍ଷେତ୍ର ଓ ମଣିବିଗ୍ରହ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ ।
ଏହି କ୍ଷେତ୍ରରେ ରୀତିନୀତି ଓ ପଦ୍ଧତି ଏବଂ ପୂଜାର୍ଚ୍ଚନା ଅନ୍ୟ କ୍ଷେତ୍ରଠାରୁ ସଂପୂର୍ଣ୍ଣ ଭିନ୍ନ । ଏହା ସମ୍ପୃକ୍ତ ବୈଷ୍ଣବ କ୍ଷେତ୍ର, ଏଠାରେ ବଳଦେବ ପରମ ବୈଷ୍ଣବ ମାତ୍ର ଭୈରବ ନୁହଁନ୍ତି କିମ୍ବା ଏହି କ୍ଷେତ୍ରରେ କୌଣସି ତାନ୍ତ୍ରିକ ପୂଜା ପଦ୍ଧତି ପ୍ରଚଳିତ ହୁଏ ନାହିଁ । ଶ୍ରୀ ବଳଦେବ ଜୀଉ ମୁଖ୍ୟ ବିଗ୍ରହ ହେଲେ ମଧ୍ୟ ଅନୁଜ ଶ୍ରୀ ଜଗନ୍ନାଥ ,ଭଗ୍ନୀ ସୁଭଦ୍ରା ଓ ଆୟୁଧ ସୁଦର୍ଶନଙ୍କ ସହିତ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ଶ୍ରୀ ବଳଦେବ ଦାରୁ ମୂର୍ତ୍ତି ନୁହଁନ୍ତି, ବରଂ ସେ ସ୍ଵୟଂ ମଣିବିଗ୍ରହ ଓ ଏଠାରେ ନବକଳେବର ହୁଏନାହିଁ । ମହାପ୍ରଭୁଙ୍କ ପ୍ରସାଦ ‘ମହାପ୍ରସାଦ’ ହେଲେ ମଧ୍ୟ ଅଃଣନୈବେଦ୍ୟ ଏଠାରେ ମହାପ୍ରଭୁଙ୍କୁ ସମର୍ପିତ ହୁଏ ନାହିଁ ।
ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଏ ବିଶ୍ଵରେ ଏକମାତ୍ର ମନ୍ଦିର ଯେଉଁ ମନ୍ଦିରରୁ ଭକ୍ତ, ଦର୍ଶନୀ ଓ ପରିବ୍ରାଜକ ହିନ୍ଦୁ ହୋଇଥିଲେ ନିଜ ଇଚ୍ଛା ମୁତାବକ ନିଃଶଙ୍କୁଡି ଭୋଗ ସଙ୍ଗେ ସଙ୍ଗେ ଅମଣିଆ ଦୋକାନରୁ ତିଆରି କରି ମହାପ୍ରଭୁଙ୍କୁ ସମର୍ପଣ ପୂର୍ବକ ନିଜେ ଗୃହରେ ବା ମନ୍ଦିରରେ ସେବନ କରି ପାରିବେ । ଇଚ୍ଛାମୁତାବକ ଶଙ୍କୁଡି ନୈବେଦ୍ୟ ନିଜ ପଣ୍ଡାଙ୍କ ଜରିଆରେ ତିଆରି କରି ମହାପ୍ରଭୁଙ୍କୁ ସମର୍ପଣ କରିପାରିବେ । ଯଦିଚ ଯାତ୍ରୀ,ଦର୍ଶନୀ ମାନଙ୍କ ପାଇଁ ପୂର୍ବରୁ ତିଆରି ବା ପ୍ରସ୍ତୁତ ଭୋଗ ସାମଗ୍ରୀ ଏହି ମନ୍ଦିରରେ ସେବନ ପାଇଁ ମିଳିଥାଏ ,ତଥାପି ଭକ୍ତ ବା ଯାତ୍ରୀ ଚାହିଁଲେ ପୂର୍ବ ବର୍ଣ୍ଣିତ ଅନୁସାରେ ତାହା କରିପାରିବେ | ତେଣୁ କେନ୍ଦ୍ରାପଡାର ଶ୍ରୀ ବଳଦେବ ମନ୍ଦିର ପୃଥିବୀର ସବୁ ମନ୍ଦିର ଠାରୁ ସ୍ବତନ୍ତ୍ର ।
ଶ୍ରୀକ୍ଷେତ୍ର ପରି ଏହି ମନ୍ଦିରରେ ୧୨ ମାସରେ ୧୩ ଯାତ୍ରା ପାଳିତ ହୁଏ । ଚନ୍ଦନ ପାଇଁ ରହିଛି ମହାପ୍ରଭୁଙ୍କର ବିରାଟ ଚନ୍ଦନ ପୁଷ୍କରିଣୀ । ଏଠାରେ ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଯାଏ ମହାପ୍ରଭୁ ଚାପ ଖେଳନ୍ତି । ଠାକୁରଙ୍କର ରହିଛି ଏକ କି.ମି ବ୍ୟାପୀ ବିରାଟ ନିଜସ୍ଵ ରଥଦାଣ୍ଡ, ଯାହାର ପ୍ରସ୍ଥ ୬୦ ମିଟର ରୁ ୮୦ ମିଟର । ଏଠାରେ ଦୁଇ ଦିନ ଧରି ଗୁଣ୍ଡିଚା ଓ ବାହୁଡା ଯାତ୍ରା ମଧ୍ୟ ପାଳିତ ହୁଏ । ଶ୍ରୀ ଜୀଉଙ୍କ ବେଢା ମଧ୍ୟରେ ରହିଛି ଅନେକ ଦେବା ଦେବୀଙ୍କ ମନ୍ଦିର | ସେଥିମଧ୍ୟରୁ ଶ୍ରୀ ବୈକୁଣ୍ଠେଶ୍ଵରା ମନ୍ଦିର ,ମା’ କନକ ଦୂର୍ଗାଙ୍କ ମନ୍ଦିର ,ପାଦ ପଦ୍ମ ମନ୍ଦିର, ତୁଳସୀ ମନ୍ଦିର, ଶ୍ରୀ ରାମ ମନ୍ଦିର ,ରେବତୀ ମନ୍ଦିର, ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିର, ମୁକ୍ତି ମଣ୍ଡପ, ଶ୍ରୀ ଗଣେଶଙ୍କ ମନ୍ଦିର, ଶ୍ରୀ ଯମରାଜାଙ୍କମନ୍ଦିର ଓ ପ୍ରାଚୀନ ବାସୁଦେବ ମନ୍ଦିର ଆଦି ପ୍ରଧାନ ଅଟେ । ଶ୍ରୀ ବଳଦେବ ଜୀଉଙ୍କ ରୋଷ ଶାଳାରେ ଏକ ସାଙ୍ଗରେ ପ୍ରାୟ ୨୦ ହଜାର ଲୋକଙ୍କ ପାଇଁ ପ୍ରସାଦ (ନୈବେଦ୍ୟ) ତିଆରି କରିବାର କ୍ଷମତା ହାସଲ କରିଅଛି ।
ଏହି ମନ୍ଦିର ୧୯୫୧ମସିହା ଠାରୁ ଏଣ୍ଡଉମେଣ୍ଟ ଦ୍ଵାରା ପରିଚାଳିତ । ଦୂରଯାତ୍ରୀଙ୍କ ପାଇଁ ରହିଛି ବିରାଟ ଆଧୁନିକ ଯାତ୍ରୀ ନିବାସ । ଯାନ ବାହାନ ଆଦି ରଖିବା ପାଇଁ ରହିଛି ପକ୍କା ମସୃଣ ବିରାଟ ରଥଦାଣ୍ଡ ।
ମୁଖ୍ୟ ରାସ୍ତା କଟକ ଚାନ୍ଦବାଲି ରାସ୍ତାଦେଇ ତିନି ମୁହାଣି ଛକଠାରୁ ସହର ମଧ୍ୟ ଦେଇ ଯିବାକୁ ହୋଇଥାଏ । ଜାତୀୟ ରାଜପଥ (କ) ଦେଇ ଆସିଲେ ,ଛ-ଘରିଆ ଚାରିଛକ ଠାରୁ ମନ୍ଦିର ଦୂରତା ମାତ୍ର ୧୫୦୦ ମିଟର(ଉତ୍ତର ଦିଗ ବା ବାମ ହାତରେ) । ପାରାଦ୍ଵୀପରୁ ଆସିଲେ , ଛ-ଘରିଆ ଚାରିଛକରୁ ୧୫୦୦ ମିଟର ବା ମାର୍ଶାଘାଇ ଚାରିଛକ ଠାରୁ ୭ କି.ମି ୩୦୦ ମିଟର ।ନିକଟବର୍ତ୍ତୀ ରେଳ ଷ୍ଟେସନ କଟକ ଏଠାରୁ ୬୫ କି.ମି ଦୂର ଓ କେନ୍ଦ୍ରାପଡ଼ା ସହର ଠାରୁ ଏହା ୫ କି.ମି ଦୂରତା ଅଟେ |
•ବତୀଘର: ପୂର୍ବ ଉପକୂଳର ପ୍ରଥମ ବତୀଘର ଜିଲ୍ଲା ପର୍ଯ୍ୟଟନ ମାନଚିତ୍ର ରେ ସ୍ଵତନ୍ତ୍ର ସ୍ଥାନ ବିମଣ୍ଡନ କରିଛି । ପାରାଦ୍ଵୀପ ବନ୍ଦର ନିର୍ମାଣର ଯଥେଷ୍ଟ ପୂର୍ବରୁ ବଙ୍ଗୋପସାଗର ରେ ପଣ୍ୟ ବାହି ଜାହାଜ ଗୁଡିକର କାରବାର ନିମନ୍ତେ ସାହାରା ସାଜିଥିବା ଏହି ବତୀଘର ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି।
ବ୍ରିଟିଶ ଶାସନ କାଳରେ ମହାନଦୀ ର ଉତ୍ତର ପାର୍ଶ୍ଵରେ ଥିବା ଫଲ୍ସ ପଏଣ୍ଟ ଠାରେ ଜାହାଜ ଗୁଡିକ ଲଙ୍ଗର ପକାଉ ଥିଲେ । ସମୁଦ୍ର ମଧ୍ୟରେ ପଥ ଭ୍ରଷ୍ଟ ହେବାର ଆଶଙ୍କା କୁ ଦୂରୀଭୂତ କରିବା ଲକ୍ଷ୍ୟରେ ୧୮୩୬ ରେ ଆରମ୍ଭ ହୋଇଥିବା ଏହି ବତୀଘର କାର୍ଯ୍ୟ ପୂର୍ଣାଙ୍ଗ ହେବ ପାଇଁ ବର୍ଷେ ଲାଗିଥିଲା। ନିର୍ମାଣ ହେବପରେ ପରବର୍ତ୍ତୀ କାଳରେ ଉକ୍ତ ଅଞ୍ଚଳ ମଧ୍ୟ ବତୀଘର ନାମରେ ପରିଚୟ ପାଇଥିଲା। ବତୀଘର ର ଉଚ୍ଚତା ୧୨୫ ଫୁଟ ।
କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାର ଦକ୍ଷିଣ ଦିଗରେ ଯାଇଥିବା ଦୈତାରୀ-ପାରାଦ୍ଵୀପ ଜାତୀୟ ରାଜପଥ ନମ୍ବର – ୫ (କ) ଦେଇ ସିଧା ପୂର୍ବାଭିମୁଖୀ ହୋଇ ମାର୍ଶାଘାଇ-ମହାକାଳପଡା କେନାଲ କ୍ରସିଂ ପୋଲ ତଳେ ଯାଇଥିବା ମାର୍ଶାଘାଇ-ମହାକାଳପଡା-ଜମ୍ବୁ ରାସ୍ତାରେ ପୁନଶ୍ଚ ସିଧା ଭାବେ ଗତି କରି ଛପାଲି ଠାରୁ ଦକ୍ଷିଣ ଦିଗରେ ଭାଙ୍ଗିଯାଇ ରାମଚଣ୍ଡୀ ଓ ରାମନଗର ବଜାର ପରେ ଖରନାସି ଚିରସ୍ରୋତା ନଦୀ ପାର ହେଲା ପରେ ପ୍ରାୟ ୭ କି.ମି ଦୂରରେ ଥିବା ପ୍ରାଚୀନ ବତୀଘର ଦୃଶ୍ୟମାନ ହୋଇଥାଏ । ୧୮୧ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବତୀଘର ଆଜି ମଧ୍ୟ ସୂଚାରୁ ରୂପେ କାର୍ଯ୍ୟ କରୁଅଛି । ବତୀଘର ଇଲାକାଟି କୁଜଙ୍ଗ ରାଜ୍ୟର କଉଡିଆ ଦ୍ଵୀପ ଭାବରେ ପୂର୍ବରୁ ଜଣାଥିଲା । ଏ ଅଞ୍ଚଳରେ ଥିବା ନିଘଞ୍ଚ ଅରଣ୍ୟରେ ପଶୁପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ କୁଜଙ୍ଗ ନରେଶ ସାଂପ୍ରତିକ ବତୀଘର ସ୍ଥାନରେ ଏକ “ପାରିଧି ଘର” ନିର୍ମାଣ କରିଥିଲେ । ବତୀଘର ଅଞ୍ଚଳର ବ୍ୟାସାର୍ଦ୍ଧ ହେଉଛି ୧୦ କିଲୋମିଟର । ଏହା ମହାନଦୀର ଉତ୍ତର ଦିଗରେ ୨୦° ୨୦’ ଉତ୍ତର ଅକ୍ଷାଂଶ ଓ ୮୬° ୪୭’ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ପୂର୍ବେ ଏହି ଦ୍ଵୀପର ପୂର୍ବ ଦିଗରେ ସନ୍ତସନ୍ତିଆ, ଖାଲୁଆ, ଜୁଆରିଆ ବିସ୍ତୀର୍ଣ୍ଣ ବାଲି ଅଞ୍ଚଳ, ପଶ୍ଚିମରେ ରାମନଗର, ଉତ୍ତରରେ ଖରନାସି ଓ ଦକ୍ଷିଣରେ ମହାନଦୀ ଏବଂ ସମୁଦ୍ରର ଉତ୍ତାଳ ଲହରୀ । ଏଠାକାର ସାଂପ୍ରତିକ ବାସିନ୍ଦା ହେଲେ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ବୈଷ୍ଣବ ସଂପ୍ରଦାୟ ଓ ପୂର୍ବ ପାକିସ୍ତାନୀ ଶରଣାର୍ଥୀ ।
୧୮୨୬ ମସିହାରେ ତତ୍କାଳୀନ ପୌଡ ଦ୍ଵୀପ ବା ସାଂପ୍ରତିକ ହୁକିଟୋଲାରେ କ୍ୟାପଟେନ୍ ଷ୍ଟିଫେନ୍ସଙ୍କ ଦାୟିତ୍ଵରେ ନିର୍ମିତ ଓ ୧୮୨୬ ମସିହା ମଇ ୨୪ ତାରିଖରେ ପ୍ରଥମ ଆଲୋକ ପ୍ରଦାନ କରିଥିବା ପ୍ରଥମ ବତୀଘର ୧୮୩୫ ମସିହା କୁଜଙ୍ଗ ମହାବାତ୍ୟାରେ ନଷ୍ଟ ହେଲା ପରେ ୧୮୩୬ ମସିହା ଡିସେମ୍ବର ମାସ ୬ ତାରିଖରେ ଇଂରେଜ ସରକାର ପୁନଶ୍ଚ କଉଡିଆ ଦ୍ୱିପ ବା ବର୍ତ୍ତମାନର ବତୀଘର ଇଲାକାରେ ନୂତନ ବତୀଘର ନିର୍ମାଣ ଆରମ୍ଭ କରିଥିଲେ । ୧୮୩୭ ମସିହା ଅକ୍ଟୋବର ୧୬ ତାରିଖରେ ଏଥିରେ ପ୍ରଥମ ଆଲୋକ ଜଳିଥିଲା । ଏହି ବତୀଘରର ନିର୍ମାଣ କର୍ତ୍ତା ଥିଲେ ମିଃ ଏଚ. ରାଇଟ୍ । ୧୮୫୫ ମସିହା- XXII ଆକ୍ଟ ବଳରେ ଏହାର ସମ୍ମୁଖରେ ଏକ ବନ୍ଦର ସ୍ଥାପନା କରାଯିବାର ପ୍ରସ୍ତାବ ସରକାର ଅନୁମୋଦନ କରିଥିଲେ । ବତୀଘର ସମୁଦ୍ର ପତନ ଠାରୁ ୬୦ ଫୁଟ ଉଚ୍ଚ ଏକ ବାଲୁକା ସ୍ତୂପ ଉପରେ ନିର୍ମିତ । ଭୂମିଠାରୁ ଶୀର୍ଷ ଭାଗର ମୋଟ ଉଚ୍ଚତା ୧୨୫ ଫୁଟ, ମୂଳ କାନ୍ଥର ମୋଟେଇ ୧୦ ଫୁଟ, ଭୂମି ସଂଲଗ୍ନ କୋଠରୀର ବ୍ୟାସାର୍ଦ୍ଧ ୫ ଫୁଟ । ଏହା ୬ ତାଲା ପରିପ୍ରେକ୍ଷୀରେ ଏକ ଗମ୍ବୁଜାକାର ସୌଧ ଅଟେ । ପ୍ରତି ତାଲାର ଶୀର୍ଷରେ ବିଶ୍ରାମ ନେବା ପାଇଁ ଗୋଟିଏ ଗୋଟିଏ ବଡ ଝରକା ଅଛି । ପ୍ରଥମେ ଏହା ଉପରକୁ ଯିବା ପାଇଁ ଲୁହା ସିଡି ଥିଲା । ପରବର୍ତ୍ତୀ ସମୟରେ ଏଥିରେ ୫ ତାଲା ଯାଏ ୧୩୮ ଗୋଟି ସିମେଣ୍ଟ ପାହାଚ ନିର୍ମିତ ହୋଇଅଛି । ଏହି ସିଡି ଘୂର୍ଣ୍ଣନ ଗତିରେ ପାଞ୍ଚ ତାଲାକୁ ଗଲାପରେ ପଞ୍ଚମ ତାଲାରୁ ୧୬ ଫଳି ବିଶିଷ୍ଟ ଲୁହା ସିଡି ଦେଇ ଶୀର୍ଷ ଭାଗରେ ପହଞ୍ଚିବାକୁ ହୁଏ ।ତେବେ ଏଥିରେ ଥରକେ ଜଣେମାତ୍ର ହିଁ ଯାଇପାରିବ । ସର୍ବୋଚ୍ଚ କୋଠରୀର ବ୍ୟାସ ୩ ମିଟର । ଜଳୁଥିବା ବତୀର ତଳ ପତନ ଠାରୁ ୧୨ ଫୁଟ ଉଚ୍ଚରେ ୧୬ ଗୋଟି ବୁଲେଟ୍ ପ୍ରୁଫ୍ କାଚ ଲଗା ହୋଇଛି । ଏହି କାଚ ଦରଜାର ବାହାର ପଟରେ ୧୮୫୭ ମସିହା ଲେଖା ହୋଇଛି । ତେଣୁ ଆଜିଯାଏ ସେହି କାଚ ପୂର୍ବବତ୍ ଅକ୍ଷତ ରହିଅଛି । ଏହି ଗୋଲାକାର କକ୍ଷର ମଧ୍ୟଭାଗରେ ରହିଛି ୩ ଫୁଟ ବ୍ୟାସ ବିଶିଷ୍ଟ ଘୂର୍ଣ୍ଣିତ ଚକ୍ରୀ ଓ ଏହାର ମଧ୍ୟଭାଗରେ ରହିଛି ଏକ ସ୍ଥିର ଇଲେକଟ୍ରିକ ବଲବ୍ । ଏହି ବଲବ୍ ଟିର କ୍ଷମତା ହେଲା ୪୪୦ ଭୋଲ୍ଟ ର ୨୩୦ ୱାଟ ମାତ୍ର । ବଲବ୍ ଟି ଜଳିଲା ବେଳେ ବଲବ୍ ସ୍ଥିର ଥାଏ ଓ ଚତୁପାର୍ଶ୍ଵରେ ଥିବା ପ୍ରିଜିମ୍ ହିଁ ଘୂରେ । ପ୍ୟାରିସ ରେ ନିର୍ମିତ ଏହି କାଚରେ ମାତ୍ର ଦୁଇ ପାର୍ଶ୍ଵ ଦେଇ ଆଲୋକ ବାହାରକୁ ବିଚ୍ଛୁରିତ ହୋଇଥାଏ । ଏହି ଲାଇଟ ସମୁଦ୍ର ଗର୍ଭକୁ ପ୍ରାୟ ୬୦ କି.ମି ଦୂରକୁ ଦୃଷ୍ଟିଗୋଚର ହୋଇଥାଏ । ଏହି କୋଠରୀର ବାହାର ବାରଣ୍ଡାଟି ୩ ଫୁଟ ଚୌଡା ଓ ୪ ଫୁଟ ଉଚ୍ଚ । ଏଥିରେ ଜଣେ ଲୋକ ବାହାର ଦୃଶ୍ୟ ଉପଭୋଗ କରିପାରିବ । ୧୮୮୪ ମସିହା ୧୦ ସେପ୍ଟେମ୍ବର ରେ ଏହାର ଚତୁପାର୍ଶ୍ଵରେ ଏହି ବୁଲେଟ୍ ପ୍ରୁଫ୍ କାଚ ଲଗାଯାଇଥିଲା ।
ପ୍ରଥମେ ଏଥିରେ ସ୍ଥିର ଆଲୋକ ଜଳୁଥିଲା । ୧୯୦୩ ମସିହାରେ ଏଥିରେ ଗ୍ୟାସ ଲାଇଟ ଲଗାଯାଇ ଏକ ଘୂର୍ଣ୍ଣନଶୀଳ ନୂଆ ପ୍ରିଜିମ୍ ଲଗାଯାଇଥିଲା । ସେତେବେଳେ କଲିକତା ପୋର୍ଟ ର କମିଶନର ଥିଲେ ମାନ୍ୟବର ମିଃ ଲି. ଏଫ. ବୁକଲ୍ୟାଣ୍ଡ, ଆଇ.ସି.ଏସ. । ବତୀଘରର ସମୁଦାୟ ଜମିର ପରିମାଣ ହେଉଛି ୨୬.୫ ଏକର । ଏହା ନିକଟରେ ଥିବା ଜଙ୍ଗଲକୁ ୧୯୫୬ ମସିହା ୬ ମାର୍ଚ୍ଚରେ ରାଜସ୍ୱ ବିଭାଗ ନୋଟିସ ନମ୍ବର ୧୬୩୦/XEA ବଳରେ ୨୫୬୦ ଏକର ଜଙ୍ଗଲକୁ ପ୍ରୋଜେକ୍ଟ ଫରେଷ୍ଟ ଭାବେ ଘୋଷଣା କରାଯାଇଅଛି । କଟକ ବାରବାଟୀ ଦୁର୍ଗର ଗଡଖାଇ ପ୍ରସ୍ତରରେ ନିର୍ମିତ ଏହି ସୁଉଚ୍ଚ ବତୀଘର ସମ୍ପ୍ରତି ଏହା ବତୀଘର ବିଭାଗ ଓ କଲିକତା ବନ୍ଦର ତଥା ଜାହାଜ ଚଳାଚଳ ମନ୍ତ୍ରଣାଳୟ, ଦୀପଭବନ ମାର୍ଫତରେ ରହିଅଛି ।
ପ୍ରତ୍ଯେହ ପୂର୍ବାହ୍ନ ୭ ରୁ ୧୦ ଟା ଏବଂ ଅପରାହ୍ନ ୪ଟା ରୁ  ସନ୍ଧ୍ଯା ଯାଏ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବତୀଘର ଉନ୍ମୁକ୍ତ ରହୁଛି । ପାରାଦ୍ଵୀପ ଠାରୁ ଏହାର ଜଳପଥରେ ଦୂରତା  ୧୦ କି.ମି | ଜିଲ୍ଲା ମୁଖ୍ୟ ଦପ୍ତର ଠାରୁ ବତୀଘର ର ଦୂରତା ୫୫ କି.ମି ଓ ପାରାଦ୍ଵୀପ ଠାରୁ ସ୍ଥଳପଥରେ ଦୂରତା ୭୦ କି.ମି |
ପରବର୍ତ୍ତୀ ପୋଷ୍ଟରେ ଆମେ ପୁଣି ଆପଣଙ୍କୁ କେନ୍ଦ୍ରାପଡା ଜିଲ୍ଲାର ଆଉ କେତୋଟି ପର୍ଯ୍ୟଟନ ସ୍ଥଳ ବିଷୟରେ ଜଣାଇବୁ |


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format