ପୂର୍ବ ପୋଷ୍ଟରେ ଆମେ ଆପଣଙ୍କୁ ବାଲେଶ୍ବର ଜିଲ୍ଲାର କେତେକ ଆକର୍ଷଣୀୟ
ପର୍ଯ୍ୟଟନୀ ସ୍ଥଳ ବିଷୟରେ ସୂଚନା ଦେଇଛୁ | ଏବେ ପୁଣି ଏହି ଜିଲ୍ଲାର ନିମ୍ନ କେତୋଟି ମୁଖ୍ୟ
ମନୋରମ ସ୍ଥାନ ବିଷୟରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ |
•କ୍ଷୀରଚୋରା ଗୋପୀନାଥ:
ବାଲେଶ୍ବର ସହରର ପୂର୍ବକୁ ପ୍ରାୟ ୯କି.ମି. ଦୂରରେ ରେମୁଣା ଠାରେ କ୍ଷୀରଚୋରା
ଗୋପୀନାଥ ଦୈବ ପୀଠ ଅବସ୍ଥିତ | ଏହି ବିଷ୍ଣୁ ମନ୍ଦିରରେ ମଦନମୋହନ, ଶ୍ରୀ ଗୋବିନ୍ଦ,
ରାଧାରାସବିହାରୀ,ଚୈତନ୍ୟ ମହାପ୍ରଭୁ ଏବଂ ଜଗନ୍ନାଥଙ୍କ ମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି | ଏହା
ବ୍ୟତୀତ ପର୍ଯ୍ୟଟକ ମାନେ ମନ୍ଦିରର ଅନ୍ୟ ଏକ ପାର୍ଶ୍ବରେ ଶାଳଗ୍ରାମ ପୂଜା ପାଉଥିବାର ମଧ୍ୟ
ଦେଖିବାକୁ ପାଇବେ |
କିମ୍ବଦନ୍ତୀ କହେ ଯେ ପ୍ରାୟ ୫୦୦ ବର୍ଷ ପୂର୍ବେ ମାଧବେନ୍ଦ୍ର ନାମକ ବ୍ୟକ୍ତି
ପୁରୀ ରାସ୍ତା ଦେଇ ରେମୁଣାରେ ପହଞ୍ଚିଥିଲେ | ସେଠାରେ ମାଧବେନ୍ଦ୍ର ଦେଖିବାକୁ ପାଇଲେ ଯେ
ଗୋପୀନାଥଙ୍କୁ କ୍ଷୀର ଅର୍ପଣ କରାଯାଉଛି | ସେ ମଧ୍ୟ ଶ୍ରୀଗୋପାଳଙ୍କୁ କ୍ଷୀର ଅର୍ପଣ କରିବାକୁ
ଚାହୁଁ ଥିଲେ | ଏପରି ବିଶ୍ବାସ କରାଯାଏ ଯେ ମାଧବେନ୍ଦ୍ରଙ୍କୁ କ୍ଷୀର ଦେବା ପାଇଁ ଭଗବାନ
ଗୋପୀନାଥ ପୂଜକଙ୍କୁ ସ୍ବପ୍ନାଦେଶ କରିଥିଲେ | ଏହି କାରଣରୁ ପରବର୍ତ୍ତୀ ସମୟରେ ଗୋପୀନାଥଙ୍କ
ନାମ କ୍ଷୀରଚୋରା ଗୋପୀନାଥ ହୋଇ ଗଲା | ବାଲାଶ୍ବରର ଏହି ବିଷ୍ଣୁ ମନ୍ଦିରକୁ ବର୍ଷସାରା ବହୁ
ପର୍ଯ୍ୟଟକ ଦର୍ଶନ କରିବା ପାଇଁ ଆସନ୍ତି
|
•ଚାନ୍ଦବାଲି:
ସପରିବାର ଭ୍ରମଣ କରି ଯିବା ପାଇଁ ଚାନ୍ଦବାଲି ବେଳାଭୂମି ବେଶ୍ ଉପଯୁକ୍ତ ଓ
ଅକ୍ଟୋବର ମାସରୁ ପେବୃଆରୀ ମଧ୍ୟରେ ଏହି ସ୍ଥାନ ବୁଲିଯିବା ପାଇଁ ବହୁତ ଭଲ | ମଧ୍ୟଯୁଗୀୟ କାଳରୁ
ଏକ ଲୋକପ୍ରିୟ ବନ୍ଦର ଭାବେ ଚାନ୍ଦବାଲିର ନାମ ରହିଛି | ଏହି ସ୍ଥାନ ଠାରୁ ପର୍ଯ୍ୟଟକମାନେ ଧାମରା
ଓ ଆରଡିର ପ୍ରସିଦ୍ଧ ଶୈବ ପୀଠକୁ ନୌକା ଯୋଗେ ଯିବା ପାଇଁ ସୁବିଧା ରହିଛି | ପିକନିକ୍ କରିବା
ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ଅଟେ |
•ଧାମରା:
ବାଲେଶ୍ବର ଜିଲ୍ଲାର ଧାମରା ଠାରେ ଉଭୟ ବ୍ରାହ୍ମଣୀ ଓ ବୈତରଣୀ ନଦୀ ବଙ୍ଗୋପସାଗର
ରେ ମିଶିଛନ୍ତି | ଚାନ୍ଦବାଲି ଓ ବାଲେଶ୍ବର ସହର ଠାରୁ ଧାମରା ଯଥାକ୍ରମେ ୪୦ କି.ମି. ଓ ୧୬୦
କି.ମି. ଦୂର ଅଟେ | ମୋଟର ଲଞ୍ଚ ଓ ଡଙ୍ଗା ସାହାଯ୍ୟରେ ଏହି ସ୍ଥାନରେ ପହଞ୍ଚିବା ପାଇଁ ସୁବିଧା
ରହିଛି |
•ତାଳସରି:
ତାଳସରି ବାଲେଶ୍ବର ସହର ଠାରୁ ୮୮ କି.ମି, ଦୀଘା ଠାରୁ ୮କି.ମି ଓ ଚନ୍ଦନେଶ୍ବର
ଠାରୁ ୩କି.ମି ଦୂର ଅଟେ | ଏଠାରେ ସୁବର୍ଣରେଖା ନଦୀ ବଙ୍ଗୋପସାଗର ସହ ମିଶିଛି ଓ ଏକ ଦ୍ବୀପ ସଦୃଶ
ଅଞ୍ଚଳ ସୃଷ୍ଟି କରିଛି |ଏଠାକାର ଉଚ୍ଚ ତରଙ୍ଗପୂର୍ଣ ସମୁଦ୍ର ତଟ ମାଛ ଧରିବା ପାଇଁ ବେଶ୍
ଲୋକପ୍ରିୟ |
•କାଶଫଳ:
ବାଲେଶ୍ବର ଜିଲ୍ଲାର କାଶଫଳ ସମୁଦ୍ର ତଟର ବିସ୍ତୃତ ବେଳାଭୂମିର ଶୀତଳ ବାତାବରଣରେ
ବୁଲିବା ବହୁତ ଆନନ୍ଦଦାୟକ | ଏଠାରେ ଆପଣ ନାଲି କଙ୍କଡା ମଧ୍ୟ ଦେଖିବାକୁ ପାଇବେ | ଏହି ସମୁଦ୍ର
ତଟ ଦିନରେ ଦୁଇଥର ଅଦୃଶ୍ୟ ହୋଇ ଯାଉଥିବା ପାଇଁ ବେଶ୍ ପ୍ରସିଦ୍ଧ | ଏହି ବେଳାଭୂମି ବାଲେଶ୍ବର
ସହର ଠାରୁ ପ୍ରାୟ ୫୨ କି.ମି. ଦୂର ଅଟେ |
•ଆରଡି:
ବାଲେଶ୍ବର ଜିଲ୍ଲାର ଆରଡି ଶୈବ ପୀଠ ଓଡିଶାର ଗଙ୍ଗା ନାମରେ ପରିଚିତ ବୈତରଣୀ ନଦୀ
ତଟରେ ଅବସ୍ଥିତ | ଭଦ୍ରକ ଓ ବାଲେଶ୍ବର ସହର ଠାରୁ ଆରଡି ଯଥାକ୍ରମେ ୫୨ କି.ମି. ଓ ୧୧୦ କି.ମି.
ଦୂର ଅଟେ | ନୌକା ଯୋଗେ ଚାନ୍ଦବାଲି ଠାରୁ ଏହି ପବିତ୍ର ଶୈବ ପୀଠରେ ମଧ୍ୟ ସୁବିଧାରେ ପହଞ୍ଚିବାର
ବ୍ୟବସ୍ଥା ରହିଛି | ଏଠାରେ ପ୍ରଭୁ ଆଖଣ୍ଡଳମଣି ପୂଜା ପାଉଛନ୍ତି ଓ ପ୍ରତିଦିନ ହଜାର ହଜାର
ଶ୍ରଦ୍ଧାଳୁ ଭକ୍ତଙ୍କର ଏହି ସ୍ଥାନରେ ସମାଗମ ହୋଇଥାଏ | ମହାଶିବ ରାତ୍ରିରେ ଆରଡି ଶୈବ ପୀଠରେ
ଭକ୍ତମାନଙ୍କର ବହୁତ ଭିଡ ଜମେ |
•ରାଇବଣିଆ:
ଏୈତିହାସିକ ମହତ୍ବସମ୍ପର୍ଣ ରାଇବଣିଆ ବାଲେଶ୍ବର ଠାରୁ ୭୫ କି.ମି. ଦୂର ଅଟେ |
“ଆଇନ୍-ଇ-ଆକବରୀ” ପୁସ୍ତକରେ ରାଇବଣିଆ ସ୍ଥାନର ଉଲ୍ଲେଖ ରହିଛି | ଏହି ସ୍ଥାନରେ ଥିବା ଧ୍ବଂସ ଓ
ନଷ୍ଟ ହୋଇ ଯାଇଥିବା ପ୍ରାଚୀନ କୀଲା ଏବଂ ଜୟଚଣ୍ଡି ନାମକ ପ୍ରାକୃତିକ ଜଙ୍ଗଲ ପର୍ଯ୍ୟଟକଙ୍କ ପାଇଁ
ମୁଖ୍ୟ ଆକର୍ଷଣ | ପିକନିକର ମଜା ନେବା ପାଇଁ ଏହା ଏତ ସୁନ୍ଦର ସ୍ଥାନ |
•ଚଷାଖଣ୍ଡ:
ସମୁଦ୍ର ତଟ ପାଖରେ ତଥା ବଳରାମଗଡ ନଦୀ ସମୁଦ୍ର ସହ ମିଶିଥିବା ସ୍ଥାନରେ ଚଷାଖଣ୍ଡ
ଅବସ୍ଥିତ | କ୍ରାନ୍ତିକାରୀ ନାୟକ ତଥା ସ୍ବାଧୀନତା ସଂଗ୍ରାମୀ ଓ ସହିଦ ଦେଶପ୍ରେମୀ ଜତୀନ୍ଦ୍ରନାଥ
ମୁଖୋପାଧ୍ୟାୟଙ୍କର ବିଶ୍ରାମ ଓ ସହିଦ ସ୍ଥଳ ଭାବେ ଚଷାଖଣ୍ଡ ମଧ୍ୟ ବେଶ୍ ଲୋକପ୍ରିୟ ଓ ସ୍ମରଣୀୟ
| ଏହି ସ୍ଥାନ ଭ୍ରମଣ କରିବା ପାଇଁ ଓ ଏଠାରେ ମାଛ ଧରିବାର ଦୃଶ୍ୟ ଉପଭୋଗ କରିବା ପାଇଁ ବହୁତ ଭଲ
|
•ଚନ୍ଦନେଶ୍ବର:
ପ୍ରଭୁ ଚନ୍ଦନେଶ୍ବରଙ୍କ ପାଇଁ ବାଲେଶ୍ବର ଜିଲ୍ଲାର ପବିତ୍ର ଚନ୍ଦନେଶ୍ବର ପୀଠ
ବେଶ୍ ଲୋକପ୍ରିୟ | ପ୍ରତିଦିନ ଏଠାକୁ ଓଡିଶାର କୋଣ ଅନୁକୋଣରୁ ବହୁ ଭକ୍ତ ଆସି ଥା’ନ୍ତି ଓ
ନୀଳପର୍ବ ନାମକ ପର୍ବରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ହୋଇଥାଏ |
ଆଶା କରୁଛୁ ବାଲେଶ୍ବର ଜିଲ୍ଲାର ପର୍ଯ୍ୟଟନୀ ସ୍ଥଳକୁ ନେଇ ଆମର ଏହି ଆବଶ୍ୟକୀୟ
ସୂଚନାସମ୍ପର୍ଣ ପୋଷ୍ଟ ଆପଣଙ୍କ ପାଇଁ ନିଶ୍ଚୟ ଉପାଦେୟ ହୋଇ ପାରିବ | ପରବର୍ତ୍ତୀ ପର୍ଯ୍ୟାୟରେ
ଆମେ ଆପଣଙ୍କୁ ବରଗଡ ଜିଲ୍ଲାର ପର୍ଯ୍ୟଟନୀ ସ୍ଥଳ ଭ୍ରମଣରେ ନେବାକୁ ଚାହିଁବୁ |
ବାଲେଶ୍ୱର ଜିଲ୍ଲାର ପର୍ଯ୍ୟଟନ ସ୍ଥଳ

A tourist destination in Baleshwar district
0 Comments