Tourist Place of Kendrapada District Part-2


834
According to the scriptures of Tulsi Das, 4 mantras of success ...
According to the scriptures of Tulsi Das, 4 mantras of success ...

ବିଷୟ: ଭ୍ରମଣ କରି ଯା’ନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଏହିସବୁ ପର୍ଯ୍ୟଟନ ସ୍ଥଳ |ଆମେ ଆପଣଙ୍କୁ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ତରକନିକା, ଗହୀରମଥା, ତୁଳସୀକ୍ଷେତ୍ର ଓ ବତୀଘର ଆଦି ପର୍ଯ୍ୟଟନ ସ୍ଥଳ ବିଷୟରେ ଜଣାଇଛୁ | ଆଜି ପୁଣି ଏହି ଜିଲ୍ଲାର ନିମ୍ନ କେତୋଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବିଷୟରେ ଆସନ୍ତୁ ଜାଣିବା:-
•ହୁକିଟୋଲା: ହୁକିଟୋଲା କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁଦ୍ବୀପରେ ଅବସ୍ଥିତ । ଇଂରେଜ ମାନଙ୍କ ଦ୍ଵାରା ୧୮୬୬-୧୮୬୭ ମସିହାରେ ନଅଙ୍କ ଦୁର୍ଭିକ୍ଷ  ସମୟରେ ଏହା ନିର୍ମାଣ ହୋଇଥିଲା । ସମୁଦ୍ର ପଥରେ ବର୍ମାରୁ ଚାଉଳ ଆମଦାନୀ ପରେ ଏଠାରେ ଗଚ୍ଛିତ କରି ରଖାଯାଉ ଥିଲା । ଏଠାରେ ଥିବା ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ବେଶ୍ ମନମୁଗ୍ଧ କରେ । ଏହି ସ୍ଥାନର ପ୍ରାକୃତିକ ପରିବେଶ ଏବଂ ଐତିହାସିକ ମହତ୍ଵ ବର୍ଷ ସାରା ଛାତ୍ର ଛାତ୍ରୀ ,ଗବେଷକ ଏବଂ ଇତିହାସ ପ୍ରେମୀ ମାନଙ୍କୁ ଆକର୍ଷିତ କରେ। କେନ୍ଦ୍ରାପଡ଼ା ସହର ରୁ ୫୦ କି.ମି ଦୂର ଖରିନାସୀ କୁ ଟ୍ଯାକ୍ସି ଯୋଗେ ପହଞ୍ଚି ହେବ ଓ ସେଠାରୁ ଡଙ୍ଗା ବା ବୋଟ୍ ସାହାଯ୍ୟରେ ଏହି ଐତିହାସିକ ସ୍ଥାନକୁ ଯାଇହେବ |
•ଆଳି ରାଜବାଟୀ: ଓଡିଶା ଇତିହାସ ପୃଷ୍ଠା ଅବଲୋକନ କଲେ ,ମୋଗଲବନ୍ଦୀ ମଧ୍ୟରେ ଥିବା ସବୁଠାରୁ ପ୍ରାଚୀନ ସଭ୍ୟତା ହେଉଛି ଆଳି ଯାହା ଖରସ୍ରୋତା ନଦୀ ଉପକଣ୍ଠରେ ଥିବା ବରୁଣ ଡିହା ଅଞ୍ଚଳରେ ଥିବା ପୁରୁଣା ମାଟି ନଅର ପ୍ରାକୃତିକ ବିପର୍ଜୟରେ ନଷ୍ଟ ହେଇଗଲା ପରେ ଆଳି ର ତତ୍କାଳୀନ ନରେଶ ତ୍ରିଲୋଚନ ଦେବ ସାଂପ୍ରତିକ ରାଜବାଟୀର ଶୁଭ ପ୍ରତିଷ୍ଠା କରିଥିଲେ ।ପରେ ଆଳି ରାଜା ପ୍ରତାପରୁଦ୍ରଦେବ ,ଯଦୁନାଥ ଦେବ ଓ ଏହି ବଂଶର ଖ୍ୟାତନାମା ରାଜା ବ୍ରଜସୁନ୍ଦର ଦେବ ବର୍ତ୍ତମାନର ଆଳି ରାଜବାଟୀ ପର୍ଯ୍ୟାୟକ୍ରମେ ନିର୍ମାଣ କରିଥିଲେ। ଏହି ରାଜବାଟୀ ପ୍ରାୟ ୫ ଏକର ସ୍ଥାନ ଉପରେ ନିର୍ମିତ ହୋଇଥିଲା ବେଳେ ରାଜବାଟୀର ପରିସର ୪୦ଏକର ଭୂ-ସମ୍ପତ୍ତି ବୋଲି ଜଣାଯାଏ। ଏହି ରାଜବାଟୀ ମଧ୍ୟରେ ରାଜନଅର ,ରାଣୀ ମହଲ, ଘୋଡାଶାଳ, ଭଣ୍ଡାର ଗୃହ, ଉଦ୍ୟାନ, ପ୍ରମୋଦ ଉଦ୍ୟାନ ଓ ଦେବୀ ମନ୍ଦିର ରହିଅଛି ଯାହା ଖରସ୍ରୋତା ନଦୀ ସଂଲଗ୍ନ ଅଞ୍ଚଳରେ ଠିଆ ହୋଇଛି। ଦ୍ଵି-ତଳ ବିଶିଷ୍ଠ ଆଳି ରାଜାଙ୍କ ମୁଖ୍ୟ ସୌଧ ଏହି ଗୃହ ମଧ୍ୟରେ ଆଳି ରାଜବଂଶରେ ଶାସନ କରୁଥିବା ରାଜମାନଙ୍କର ଫଟୋ ,ରାଜା ବ୍ରଜସୁନ୍ଦର ଦେବଙ୍କର ବାଘ ପାଟିରେ ମୁଣ୍ଡ ପୁରାଉଥିବା ଚିତ୍ର ,ବାଘ ମାନଙ୍କ ଉପରେ ବସି ରାଜା ଭ୍ରମଣ କରୁଥିବାର ଦୃଶ୍ୟ ସଂଶ୍ଳିଷ୍ଟ ଅନେକ ଚିତ୍ର ସ୍ଥାନ ପାଇଛି । ଏହା ଛଡା ରାଜା ବ୍ୟବହାର କରୁଥିବା ଯୁଦ୍ଧାସ୍ତ୍ର ଓ ବନ୍ଧୁକ ଆଦି ସ୍ଥାନିତ ହୋଇଅଛି। ରାଜପ୍ରସାଦର ସମ୍ମୁଖରେ ଥିବା ଚଟାଣରେ ପଡିଛି ଏକ ବିରାଟ ମାର୍ବଲ ପ୍ରସ୍ଥର ଖଣ୍ଡ । ରାଜବାଟୀ ଠାରୁ ପ୍ରାୟ ଅଧ କି.ମି ଦୂରରେ (ଶ୍ରୀ ଶ୍ରୀ ବରାହ ଜୀଉ ମନ୍ଦିର ନିକଟରେ )ରହିଛି ଆଳି ରାଜବଂଶର ସ୍ଵର୍ଗଦ୍ଵାର ଯାହା ସବୁଦିଗରେ ସୁଉଚ୍ଚ ପ୍ରାଚୀର ପରିବେଷ୍ଠିତ ଶ୍ମଶାନ ଇଲାକା ମଧ୍ୟରେ ରହିଛି । ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଆଳି ରାଜାଙ୍କର ସମାଧି ଓ ଏହି ଶ୍ମଶାନ ପଛପଟରେ ଥିବା ବିଦ୍ୟାଳୟ ହତା ମଧ୍ୟରେ ରହିଛି କେନ୍ଦୁଝରର ବିପ୍ଳବୀ ଧରଣିଧର ଭୂୟାଁ (ଆଳି ଲୋକମତରେ ବାଉଁଶଗଡ ବାବାଜୀ )ଙ୍କର କଚା ସମାଧି ସ୍ଥଳ । କେନ୍ଦ୍ରାପଡ଼ା ସଦର ଦପ୍ତର ଠାରୁ ଆଳି ରାଜବାଟୀର ଦୂରତା ୪୫ କି.ମି । ବର୍ଷର ସବୁ ସମୟରେ କେନ୍ଦ୍ରାପଡ଼ା ସହର ପାର୍ଶ୍ଵ ଦେଇ ଯାଇଥିବା କଟକ –ଚାନ୍ଦବାଲି ରାସ୍ତାରେ ଏଠାରେ ସହଜରେ ପହଞ୍ଚିପାରିବ।
•କନିକା ରାଜବାଟୀ: କେନ୍ଦ୍ରାପଡ଼ା ସଦର ଦପ୍ତର ଠାରୁ ୫୨ କି.ମି ଦୂରସ୍ଥ ରାଜକନିକା ବ୍ଲକ ନିକଟରେ ଦଣ୍ଡାୟମାନ ହୋଇଅଛି “ଓଡିଶା ରାଜ୍ୟ ଅନ୍ୟତମ ଶ୍ରେଷ୍ଠ ସୌଧ-“କନିକା ରାଜବାଟୀ”। ସରକାରୀ ରେକର୍ଡ ଅନୁଯାୟୀ କନିକା ରାଜବାଟୀ ସହିତ ଘେରି ରହିଥିବା ୫୦ ଏକର ସ୍ଥାନ ଗଞ୍ଜା ମୌଜା ମଧ୍ୟରେ ଅବସ୍ଥିତ । ଉଭୟ ବୈତରଣୀ ଓ ଖରସ୍ରୋତା ନଦୀ ଦ୍ଵୟର ଉଚ୍ଚ ବାଲୁକା ଉପତ୍ୟାକାରେ ୧୯୦୯ ମସିହାରେ ଏହି ଖ୍ୟାତନାମା ରାଜବାଟୀକୁ ନିର୍ମାଣ କରିଥିଲେ କନିକା ରାଜବଂଶ ୩୪ତମ ରାଜା ରାଜେନ୍ଦ୍ରନାରାୟଣ ଭଞ୍ଜ ଦେବ । ପ୍ରାୟ ୪ ଏକର ଭୂମି ଉପରେ ନିର୍ମିତ ଓ ୭୫ ଫୁଟ୍ ଉଚ୍ଚତା ବିଶିଷ୍ଟଏହି ରାଜପ୍ରସାଦ କୁ କଲିକତାର ବାର୍ଡ ଆଣ୍ଡ କମ୍ପାନୀ ନିର୍ମାଣ କରିଥିଲା । ଏହା ଲଣ୍ଡନରେ ଥିବା ବଙ୍କିହାମ୍ ପ୍ରସାଦର ଶୈଳୀରେ ନିର୍ମିତ ହୋଇଅଛି ।
ନରାଜ ପାହାଡର ପ୍ରସ୍ତର ,କଲିକତି ନିର୍ମାଣ ଉପକରଣ ,ବ୍ରହ୍ମ ଦେଶର ସାଗୁଆନ୍ କାଠ,ଇଟାଲିର ଟାଇଲ ଓ ବେଲଜିୟମ୍ ରୁ ଆନୀତ ବହୁମୂଲ୍ୟ କାଚ ଆଦିର ସାମଗ୍ରିକ ଉପକରଣରେ ଏହା ନିର୍ମିତ ହୋଇଥିଲା । ଏହି ଦ୍ଵିତକ ବିଶିଷ୍ଟ ସୌଧ ଚାରିପଟେ ଘେରି ରହିଛି ତିନି କି.ମି ବ୍ୟାପୀ ସୁଉଚ୍ଚ ପ୍ରାଚୀର |ମୁଖ୍ୟଦ୍ଵାର କାରୁକାର୍ଯ୍ୟପୂର୍ଣ୍ଣ ହୋଇଥିବା ବେଳେ ପ୍ରାଚୀର ଘେରା ମଧ୍ୟରେ ରହିଛି ୪ ଗୋଟି ବୃହତ୍ ଗଭୀର ପୁଷ୍କରିଣୀ। ୨୦୦୭ ମସିହାରେ ଏହି ରାଜବାଟୀ ସାଧାରଣ ଦର୍ଶକଙ୍କ ନିମନ୍ତେ ଉନ୍ମୁକ୍ତ କରାଯାଇଛି ।ଏହା ମଧ୍ୟରେ ରହିଛି ରାଣୀ ମାନଙ୍କର ବହୁମୂଲ୍ୟର ଶାଢୀ ,ହାତୀଦାନ୍ତର ପଲଙ୍କ ,ରାଜସିଂହାସନ ,ଅଳଙ୍କାର,ପୁରୁଣା ହାତ ହତିଆର ତରବାରୀ ଓ ବିଦେଶୀ ବନ୍ଧୁକ ସହିତ ରହିଛି ୩୦ ରୁ ୪୦ ବାଘମୁଣ୍ଡଥିବା ଛାଲ, କୁମ୍ଭୀର ଛାଲ, ବଡ ବଡ କୁମ୍ଭୀର ମୁଣ୍ଡ ,ବାରହା ମୁଣ୍ଡ ,୫ ଟି ହରିଣ ମୁଣ୍ଡ ଓ କେତୋଟି ରାଜାଙ୍କର ରାଜମୁକୁଟ ।ଏହା ଛଡା ଏହି ରାଜପ୍ରସାଦରେ ରହିଛି ଏକ ଦୁର୍ଲଭ ପାଠାଗାର । ଯାହାକୁ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବ ବାହାଦୁର ୧୯୧୬ ମସିହା ଫେବୃୟାରୀ ୮ ତାରିଖରେ ସ୍ଥାପନ କରିଥିଲେ । ସମୁଦାୟ ରାଜବାଟୀ ମଧ୍ୟରେ ରହିଛି ୭୪ ଟି ବୃହତ କୋଠରୀ, ରାଜନଅର ପରିସର ଭିତରେ ରହିଛି ୫ ଟି ପ୍ରସସ୍ଥ ପ୍ରାଙ୍ଗଣ ଓ ମା’ ଜୟଦୂର୍ଗାଙ୍କ ମନ୍ଦିର । ରାଜବାଟୀର ପଛରେ ରାଣୀମହଲ ଓ ପଶ୍ଚିମରେ ରାସପାଟୀର ଭଗ୍ନରଙ୍ଗମଞ୍ଚ ଓ ବିଲିୟାର୍ଡ ଖେଳ ନିମନ୍ତେ ରହିଛି ସ୍ଵତନ୍ତ୍ର ଗୃହ । ରାଜବାଟୀର ଉତ୍ତର-ପୂର୍ବ ଦିଗକୁ ଲାଗିରହିଛି ବିରାଟ ଉଦ୍ୟାନ । ପ୍ରାୟ ୬୦ କିସମର ଫୁଲ ଓ ୨୫ ରକମର ଫଳଗଛ ଇତ୍ୟାଦି ସେଠାରେ ଦେଖିବାକୁ ମିଳିଥାଏ।
•ବଡକୋଠା: ଯେଉଁ ଐତିହାସିକ ସ୍ମାରକୀ କେନ୍ଦ୍ରାପଡା ସହର ଦେଇ ପ୍ରବାହିତ ଗୋବରୀ ନଦୀର ତଟ ଦେଶରେ ଥିବା ନୂଆ ବସଷ୍ଟାଣ୍ଡ ପ୍ରାଚୀରକୁ ଘଷିହୋଇ ପ୍ରାୟ ୧୯୪ ବର୍ଷ ହେଲା ସଗର୍ବରେ ମୁଣ୍ଡଟେକି ବିପଦଶଙ୍କୁଳ ଅବସ୍ଥାରେ ଦଣ୍ଡାୟମାନ ହୋଇଛି ଏବଂ ଯେଉଁ ଦ୍ଵିତଳ ପ୍ରସାଦ ସହିତ ଓଡିଶା ଇତିହାସରେ ବିଗତ ତିନି ଶତାବ୍ଦୀର ଚର୍ଚିତ ଘଟଣା ଗୁଡିକର ଘନିଷ୍ଠ ନିବିଡ ଓ ଏକାନ୍ତ ସମ୍ପର୍କ ରହିଅଛି । ସେହି ଦ୍ଵିତଳ ପ୍ରସାଦର ନାମ ହେଉଛି “ବଡ଼କୋଠା”। କଟକ ସହର ଠାରୁ ୬୦ କି.ମି ଦୂରରେ ଅବସ୍ଥିତ ଏହି କିମ୍ବଦନ୍ତୀପୂର୍ଣ୍ଣ  “ବଡ଼କୋଠା” ର ନିର୍ମାତା ଥିଲେ ତତ୍କାଳ ଓଡିଶାର ସର୍ବଜନ ପରିଚିତ ଦାନବୀର ରାଧେଶ୍ୟାମ ନରେନ୍ଦ୍ର –ଲୋକମୁଖରେ ସମଗ୍ର ଦେଶରେ ତାଙ୍କୁ ସ୍ଵର୍ଗେଇନ୍ଦ୍ର ,ମର୍ତ୍ତେନରେନ୍ଦ୍ର ଭାବେ ଗ୍ରହଣ କରାଯାଇ ଥିଲା । ୧୮୨୫ ମସିହାରେ ନିର୍ମିତ ଏହି ବିଶାଳ ରାଜପ୍ରସାଦଟି ଦ୍ଵି-ତଳ ପ୍ରସାଦ ଓ ଦାନବୀର ରାଧାଶ୍ୟାମ ନରେନ୍ଦ୍ର ଉକ୍ତ “ବଡକୋଠା”କୁ ନିର୍ମାଣ କରିବା ବାବଦରେ ସେହି ସମୟରେ ଖର୍ଚ୍ଚ କରିଥିଲେ ପ୍ରାୟ ୩୦ ହଜାର ରୌପ୍ୟ ମୁଦ୍ରା ।
“ବଡକୋଠା” ବର୍ତ୍ତମାନ ୫୦୦୦ ଚକ ଫୁଟର ସୌଧର ପରିମାପ ମଧ୍ୟରେ ଥିଲେ ମଧ୍ୟ ଏହାର ସମ୍ମୁଖରେ ଥିବା ୨୦ ଫୁଟ୍ ଚଉଡାର ଲମ୍ବା ପକ୍କା ବାରଣ୍ଡା ଅନେକ ଦିନ ତଳୁ ଭାଙ୍ଗିଯାଇଅଛି ଓ ସେଥିରେ ଥିବା ପ୍ରସ୍ତର ଖୁମ୍ବ ଗୁଡିକ ସମୟକ୍ରମରେ ଅବିଲୁପ୍ତ ହୋଇଅଛି । ସେହିପରି ବର୍ତ୍ତମାନ କୋଠାର ପଶ୍ଚାତ ଭାଗରେ ରହିଥିଲା ନରେନ୍ଦ୍ରଙ୍କ ବାସଭବନ, ରୋଷେଇଶାଳ,ବୈଠକ ଖାନା ,ଖଜଣା ଖାନା ଓ ଦେୱାନ, ଗୁମାସ୍ତା ଆଦିଙ୍କର ବାସଭବନ ଆଦି ମଧ୍ୟ ନଷ୍ଟ ହୋଇଯାଇ ଅଛି | ସାଂପ୍ରତିକ “ବଡକୋଠା” ମଧ୍ୟ ଭାଗରେ ପ୍ରାୟ ୪୦ ଫୁଟ ଲମ୍ବା ଓ ୧୫ ଫୁଟ ଓସାରର ରହିଛି ଏକ ପ୍ରବେଶ ପଥ ଓ ଏହି ପଥର (ନିମ୍ନ ଭାଗରେ) ଉଭୟ ପାର୍ଶ୍ଵରେ ଦୁଇଗୋଟି କକ୍ଷ(ପ୍ରତ୍ୟକ ୫୦୦ ଫୁଟ୍) ରହିଅଛି ଏବଂ ଦ୍ଵି-ତଳରେ ରହିଛି ସମପରିମାଣର କକ୍ଷମାନ । ପ୍ରସ୍ତର ନିର୍ମିତ ଗୋଲେଇ ଖୁମ୍ବର ସଂଯୁକ୍ତରେ ଇଟାକୁ ନେଇ ତିଆରି ହୋଇଛି ପ୍ରାୟ ୪୦ ଇଞ୍ଚ ମୋଟେଇର  ମଜବୁତ୍ କାନ୍ଥ। ବଡକୋଠାର ଉଚ୍ଚତା ବର୍ତ୍ତମାନ ୪୦ଫୁଟ୍ ଓ ଏହା ଉପରେ ପୂର୍ବରୁ ଯେଉଁ ଗମ୍ବୁଜ ଥିଲା ତାହାକୁ ହିସାବକୁ ନେଲେ ଏହାର ତତକାଳର ଉଚ୍ଚତା ଥିଲା ୭୦ ଫୁଟ । ସେହି ସମୟରେ ସମଗ୍ର ଓଡିଶା (କଟକ,ପୁରୀ,ବାଲେଶ୍ଵର)ରେ ଏହା ସର୍ବୋଚ୍ଚ କୋଠାଘର ଥିବାରୁ ଏହାକୁ ସମସ୍ତେ “ବଡକୋଠା” ବୋଲି ସମ୍ବୋଧିତ କରୁଥିଲେ ।
“ବଡକୋଠା” ଥିଲା ଓଡିଶା ରାଜ୍ୟ ଓ ଗଡଜାତ ମୂଲକର ରାଜାମାନଙ୍କର ଗନ୍ତବ୍ୟପଥର ବିଶ୍ରାମସ୍ଥଳୀ ଓ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନିକଟକୁ ଆସୁଥିବା ସାଧୁ,ସନ୍ଥ,ବୈରାଗୀ ମାନଙ୍କର ଆତିଥ୍ୟଶାଳା ।
ଏହି ପବିତ୍ର ବଡକୋଠା ମାଟିର ଉତ୍ତର ପୁରୁଷ ଥିଲେ ଜାଣାକୃପାଚନ୍ଦ୍ର ସିଂହ । ୧୬୮୬ ଖ୍ରୀ.ଅ ରେ ଯୋଧପୁର ଅନ୍ତର୍ଗତ ‘ଭାବଗେର’ରେ ଜନ୍ମ ନେଇଥିବା କୁରୁପ ଥିଲେ ଯୋଧଗଡର ରାଜା ଜାଣାଯଶୋବନ୍ତ ସିଂଙ୍କର ବଂଶଧର । ମୋଗଲ ଦ୍ଵାରା ଅତ୍ୟାଚାରିତ ହୋଇ କୁରୁପାଜାଣା, ତାଙ୍କ ସାନଭାଇ ଅନୁପ ଜାଣା ଓ କୁରୁପଙ୍କର ଏକମାତ୍ର ମାତୃହରା ଶିଶୁ ଗଜେନ୍ଦ୍ରଙ୍କୁ ଧରି ଚାଲିଆସି ଥିଲେ ସୁଦୂର ଉତ୍କଳ ଦେଶକୁ । ସେତେବେଳେ ଓଡିଶା ଗଜପତି (ଖୋର୍ଦ୍ଧା ଗଜପତି) ଦିବ୍ୟସିଂହଦେବ(୧ମ) ରଥୀପୁର ଦୁର୍ଗରେ ବସବାସ କରୁଥିଲେ । ଗଜପତିଙ୍କ ନିର୍ଦେଶ କ୍ରମେ ଦୁଇଭାଇ ନିଜକୁ କ୍ଷତ୍ରୀୟ ବୋଲି ପ୍ରମାଣିତ କରିବାକୁ ଯାଇଁ ସାନଭାଇ ଅନୁପଜାଣା ସମ୍ମୁଖରେ ଝୁଳୁଥିବା ଶାସିତ ତରବାରୀ ମଧ୍ୟରେ ବିଦ୍ୟୁତ ବେଗରେ ଅଶ୍ଵ ଚାଳନା କରି ନିଜର ମସ୍ତକ ଛେଦନ କରିଥିଲେ ସୁଦ୍ଧା ଶାସିତ ତରବାରୀକୁ ଭୃକ୍ଷେପ କରିନଥିଲେ । ଫଳତଃ କୁରୁପ ଓ ଅନୁପ ନିଶ୍ଚିତ ରୂପେ କ୍ଷତ୍ରିୟ ସନ୍ତାନ ବୋଲି ଗଜପତି ହୃଦୟଙ୍ଗମ କରିବାପରେ ଯାଜପୁର ନିକଟସ୍ଥ ପାଣିକୋଇଲି ଅଞ୍ଚଳରେ କୁରୁପଜାଣାଙ୍କୁ ଏକ ଜମିଦାରୀ ଦାନ କରିଥିଲେ । କୁରୁପଜାଣା ଏହିଠାରେ ୨୨ ଗୋଟି ମୌଜାର ଜମିଦାର ଭାବେ ସେହି ଅଞ୍ଚଳକୁ “ଯୋଧଗଡ ”ବୋଲି ନମିତା କରିଥିଲେ । ସରକାରୀ ନଥି ପତ୍ରରେ ଏହି ପ୍ରଗଣା ନାମ ଥିଲା ଯୋଧା। ୧୭୩୨ ଖ୍ରୀ.ଅ ରେ କୁରୁପଜାଣା ରାଜଗୁରୁ ପରମଲକ୍ଷ୍ମୀଙ୍କର ହାତବାଇଶି ସାଜି ମୋଗଲ ସୁବାଦାର ଅତ୍ୟାଚାରୀ ତିର୍କୀ ଖାଁଙ୍କୁ ଫକୀରବେଶ ପରିଧାନ କରି ବାରବାଟୀ ଦୁର୍ଗ ମଧ୍ୟରେ ଏକ ଗଭୀର ରାତ୍ରିରେ ହତ୍ୟା କରିଥିଲେ । ଫଳତଃ ଗଜପତି ଦ୍ଵିତୀୟ ରାମଚନ୍ଦ୍ର ଦେବ ବାରବାଟୀ ଦୁର୍ଗର ବନ୍ଦୀଶାଳାରୁ ମୁକ୍ତ ହୋଇଥିଲେ । ଏଥିପାଇଁ ରାଜଗୁରୁ ପରମଲକ୍ଷ୍ମୀଙ୍କ ଉପଦେଶ କ୍ରମେ ଗଜପତି ରାମଚନ୍ଦ୍ର ଦେବ(୨ୟ) ପରମ ସହାୟକ କ୍ଷତ୍ରିୟ ବୀର କୁରୁପଜାଣାଙ୍କୁ ୧୭୩୪ ଖ୍ରୀ.ଅ ୧୦ ଅଙ୍କ ଧନୁ ଦି୧୧ନରେ କେନ୍ଦ୍ରାପଡାରା ବିପୁଳ ଜମିଦାରୀ ଦାନ କରିଥିଲେ । ଏହି ବଂଶର ଶ୍ରେଷ୍ଠ ଉତ୍ତରାଧିକାରୀ ଭାବେ ଜନ୍ମ ନେଇଥିଲେ କୁଜଙ୍ଗ ରାଜ୍ୟର ତତ୍କାଳୀନ ଇଂରେଜ ସରକାରଙ୍କ ଦେୱାନ ସଦାଶିବ ଜାଣାଙ୍କର ଏକମାତ୍ର ପୁତ୍ର ଦାନବୀର ରାଧାଶ୍ୟାମଙ୍କୁ ଗଜପତି ମହାରାଜା ‘ନରେନ୍ଦ୍ର’ ସଂଜ୍ଞା ପ୍ରଦାନ କରିଥିଲେ । ନରେନ୍ଦ୍ରଙ୍କ ଜେଜବାପା ଗୋବିନ୍ଦ ଜାଣାଥିଲେ ସାଂପ୍ରତିକ ଗୋବିନ୍ଦଜୀଉ ମନ୍ଦିର ନିର୍ମାତା ଓ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହଙ୍କର ଶ୍ଵଶୁର ଅର୍ଥାତ ଅଭିମନ୍ୟୁ ସାମନ୍ତ ସିଂହାର ଥିଲେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଇସା । ସେ ୧୭୭୫ ମସିହାରେ ଗୋବିନ୍ଦ ଜାଣାଙ୍କର ଏକମାତ୍ର କନ୍ୟା ବିମଳାଜେମାଦେବୀଙ୍କୁ ବିବାହ କରିଥିଲେ । ୧୭୯୫ ମସିହାରେ ଏହି ବିମଳାଜେମାଦେବୀଙ୍କ ଠାରୁ ଜନ୍ମ ନେଇଥିଲେ ଏକମାତ୍ର ପୁତ୍ର ରାମକୃଷ୍ଣ ସାମନ୍ତ ସିଂହାର । ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଥିଲେ ଉନବିଂଶ ଶତାବ୍ଦୀ-ଓଡିଶାର ସର୍ବଶ୍ରେଷ୍ଠ ପୁରୁଷ ତାଙ୍କର ଆଚରଣ ,ଜ୍ଞାନ ,ପରୋପକାରିତା ଓ ପ୍ରଜାନୁରଞ୍ଜନ ପାଇଁ ସେ ସମଗ୍ର ଓଡିଶାରେ ସୁପରିଚିତ ଥିଲେ । ପିତୃପିତା ଅର୍ଜିତ କେନ୍ଦ୍ରାପଡା ଯୋଧ ଜମିଦାରୀ ଛଡା ସେ ଅଳତି, ବରି,କଳାମାଟିଆ,ରତ୍ନଗିରି,ନରେନ୍ଦ୍ରପୁର,ବିରସ୍ଵତିଓ ଛେଦାର ଜିଲ୍ଲା ଆଦି ଜମିଦାରୀ କ୍ରୟ କରିଥିଲେ । ଜମିଦାରୀ ପରିଚାଳନା,ନୌବାଣିଜ୍ୟ ଓ ସୁଶାସନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଥିଲା । ଏହି ସମୟରେ ୧୮୩୦ ମସିହା ୧୨୩୭ ସାଲ ବୈଶାଖ ୪ ଦିନ କଣିକା ରାଜା ହରିହରଜୀଉଙ୍କର ମୃତ୍ୟୁ ହେବାପରେ ତାଙ୍କର ଏକମାତ୍ର ପୁତ୍ର ବିନାୟକ ଭଞ୍ଜଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା | ଏଣୁ ବିନାୟକ ଭଞ୍ଜଙ୍କ ମତ ସତ୍ୟଭାମାପାଟ ମହାଦେଇ ତାଙ୍କ ପୁତ୍ର ସାବାଳକ ହେବାଯାଏ ଗୋପାଳପୁରର ଜମିଦାର ରାଧାଶ୍ୟାମ ନରେନ୍ଦ୍ର ମୁରବି ଭାବରେ ରାଜ୍ୟ ପରିଚାଳନା କରିବାକୁ ଇଂରେଜ ସରକାରଙ୍କୁ ଅନୁରୋଧ କରିଥିଲେ ଓ ସରକାରଙ୍କଠାରୁ ଅନୁମତି ପାଇଲାପରେ ରାଧାଶ୍ୟାମ ନରେନ୍ଦ୍ର ଏହି କାର୍ଯ୍ୟ ସୂଚାରୁ ରୂପେ ପାଳନକରିଥିଲେ ଓ ୧୮୩୪ ମସିହା ୨୫ ସେପ୍ଟେମ୍ବର ରେ ବିନାୟକ ଭଞ୍ଜ ସାବାଳକ ହୋଇ କନିକା ରାଜ ସିଂହାସନ ରେ ବସିଥିଲେ। ୧୮୫୯ ମସିହା ଡିସେମ୍ବର ୧୧ ତାରିଖରେ ଖୋର୍ଦ୍ଧା ରାଜ ବଂଶ ର ଗଜପତି ବୀରକିଶୋର ଦେବଙ୍କର ଦେହାନ୍ତ ହେବ ପରେ, ସେ ଅପୁତ୍ରିକ ଥିବାରୁ ରାଣୀ ସୂର୍ଯ୍ୟମଣି ପାଟ ମହାଦେଇ ବଡଖେମୁଣ୍ଡି ରାଜ୍ୟ ର ରାଜା ଲକ୍ଷ୍ମୀ ନାରାୟଣ ଅନଙ୍ଗଭୀମ ଦେବ ଙ୍କର ୪ ବର୍ଷ ର ଶିଶୁ ପୁତ୍ରକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ। ମାତ୍ର ସେ ନାବାଳକ ଥିବାରୁ ୧୮୫୯ ମସିହା ୧୩ ଡିସେମ୍ବର ଦିନ ତତ୍କାଳ ପୁରୀ ଜିଲ୍ଲାର ମାଜିଷ୍ଟ୍ରେଟ ଯେ. ଡି ମାର୍କଟିୟର କଟକ ଡିଭିଜନ କମିସନର ଙ୍କୁ ବାଳୁତ ରାଜା ସାବାଳକ ହେବ ଯାଏ ଶ୍ରୀ ମନ୍ଦିର ଦାଇତ୍ଵ ନିର୍ବାହ କରିବାକୁ ୩ ଜଣଙ୍କ ନାମ ଯଥା ରାଜାଙ୍କ କକା ପଦ୍ମନାଭ ରାୟ , ରୋଡଙ୍ଗ ବକ୍ସି ଗୋପୀନାଥ ବିଦ୍ୟାଧର ମହାପାତ୍ର ଓ କେନ୍ଦ୍ରାପଡ଼ା ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଙ୍କ ନାମ ସୁପାରିସ କରିବା ସମୟରେ ତାଙ୍କ ଚିଠି ରେ ରାଧାଶ୍ୟାମ ନରେନ୍ଦ୍ର ଙ୍କୁ ଅଗ୍ରାଧିକାର ଦେବା ପାଇଁ ଲେଖିଥିଲେ।
୧୮୬୬ ନଅଙ୍କ ଦୁର୍ଭିକ୍ଷ ସମୟରେ ରାଧାଶ୍ୟାମ ନରେନ୍ଦ୍ର ମୁକ୍ତ ହସ୍ତରେ ପ୍ରାୟ ଏକମାସକାଳ ଓଡିଶାର ବନ୍ଦୀ ମାନଙ୍କୁ ମାଗଣାରେ ଖାଇବାକୁ ଦେଲାବେଳେ କେନ୍ଦ୍ରାପଡ଼ା ସହର ଓ ମଫସଲ ଲୋକଙ୍କୁ ପ୍ରାୟ ତିନିମାସ ଧରି ମାଗଣାରେ ଅନ୍ନଛତ୍ର ଖୋଲିଥିଲେ । ସେ ନଅଙ୍କ ଦୁର୍ଭିକ୍ଷ କମିଟିର ସଭାପତି ଆଦି ନେତା ବିଚିତ୍ରାନନ୍ଦ ଦାସଙ୍କ ଅନୁରୋଧ କ୍ରମେ ଯାଜପୁର ଇଲାକା ଲୋକଙ୍କ ନିମନ୍ତେ ୭୫୦୦୦ ମହଣ ଧାନ ଦାନ କରିଥିଲେ।
କେନ୍ଦ୍ରାପଡା ତତକାଳୀନ ମନସୁର ଶିବପ୍ରସାଦ ସିଂହ ତାଙ୍କୁ ଟ୧ ଟାକୁ ୮ ସେର ଚାଉଳ ବିକିବାକୁ କହିବାରୁ ସେ ତାହାକୁ ପ୍ରତ୍ୟାଖାନ କରିଥିଲେ । ସେ ସେହି ସମୟରେ ଟ୧ ଟାକୁ ୧୨ ସେର ଚାଉଳ କିଣିଥିଲେ ଓ ଏହି କିଣିବା ଦ୍ଵାରା ଶହେ ଗୁଣରେ ଦୁଇଟା ଗୁଣ ଲାଭ ବୋଲି ସେ ଉତ୍ତର ଦେଇଥିଲେ । ନଅଙ୍କ ଦୁର୍ଭିକ୍ଷର ବୟାନ ଦେବାକୁ ଯାଇ ସେ କମିଟିରେ ରେଭେନ୍ସା ସାହେବଙ୍କୁ ‘ଷ୍ଟୋନି ହାର୍ଟେଡ’ ବୋଲି ସମାଲୋଚନା କରିଥିଲେ । ତେବେ ଦୁର୍ଭିକ୍ଷ ପରେ ରାଧାଶ୍ୟାମ ନରେନ୍ଦ୍ର ଦିଲ୍ଲୀ ଦରବାରରେ ପୁରସ୍କୃତ ହେବ ସଙ୍ଗେ ସଙ୍ଗେ ବେଙ୍ଗଲ ସରକାର ତାଙ୍କୁ ଦୃଢ କୃତଜ୍ଞତା ଜଣାଇ ସମ୍ମାନିତ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ର ଥିଲେ ଓଡିଶାର ପ୍ରଥମ ସମ୍ବାଦପତ୍ର “ଉତ୍କଳ ଦୀପିକା”ର ଅନ୍ୟତମ ପୁରୋଧା । ସେ ଆଦିନେତା ବିଚିତ୍ରାନନ୍ଦ ଦାସ ଓ କର୍ମବୀର ଗୌରିଶଙ୍କର ରାୟଙ୍କୁ ଏଥିଲାଗି ଟ୫୦୦.୦୦ ଦାନ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ରଙ୍କ ଅନୁରୋଧ କ୍ରମେ କେନ୍ଦ୍ରାପଡାରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ମୁନିସିପାଲିଟି । ଏଥିପାଇଁ ସେ ତାଙ୍କ ଇଷ୍ଟେଟ ମଧ୍ୟରୁ ୪ ଗୁଣ୍ଠ ଜମି ଦାନ କରିଥିଲେ । ଏହାଛଡା କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟ ଓ ଶ୍ରୀ ବଳଦେବ ଜୀଉ ପ୍ରଥମ ପରିଚାଳନା ବୋର୍ଡ “୧୮୮୨ ମସିହା”ରେ ସେ ଥିଲେ ମୁଖ୍ୟ ପୁରୋଧା ଓ ସଭାପତି । ସେ ୧୮୭୭ ମସିହା ଏପ୍ରିଲ ୨୩ ତାରିଖରେ ପ୍ରାଣ ତ୍ୟାଗ କରିଥିଲେ । ରାଧାଶ୍ୟାମ ନରେନ୍ଦ୍ରଙ୍କର ଉତ୍ତର ପିଢୀରେ ପ୍ରଖ୍ୟାତ ମହାପୁରୁଷ ହେଉଛନ୍ତି ରାଜବଂଶୀ ସଙ୍ଗୀତଗୁରୁ ଗୋକୁଳଶ୍ରୀଚନ୍ଦନ । ପୂର୍ବ ଭାରତର ପ୍ରଥମ ସଙ୍ଗିତଜ୍ଞ ଭାବେ ୧୮୯୮ ମସିହାରେ ପ୍ରଥମେ ହିଜମାଷ୍ଟର୍ସ ଭଏସ ରେ ଓଡିଶା ସଂଗୀତ ରେକଡ଼ିଂ କରିଥିଲେ । ସଙ୍ଗୀତଗୁରୁ ଗୋକୁଳ ବାବୁଙ୍କର ପୁତୁରାଥିଲେ ବୃନ୍ଦାବନ ହରିଚନ୍ଦନଙ୍କ ସୁପୁତ୍ର ପଦ୍ମଶ୍ରୀ ବାଣିକଣ୍ଠ ନିମାଇଁ ହରିଚନ୍ଦନ । ସଙ୍ଗୀତ କ୍ଷେତ୍ରରେ ସାରା ପୂର୍ବ ଉପକୂଳ ରାଜ୍ୟରେ ତାଙ୍କର ସୁଖ୍ୟାତି ରହିଥିଲା । ଅନ୍ୟଜଣେ ସୁଯୋଗ୍ୟ ଦାୟାଦ ଥିଲେ ଗୋକୁଳଶ୍ରୀ ହରିଚନ୍ଦନଙ୍କ ପୁତ୍ର ବିନୋଦ ବିହାରୀ ଶ୍ରୀଚନ୍ଦନ । ଆକାଶ ବାଣୀ କଟକ କେନ୍ଦ୍ରର “A” ଗ୍ରେଡ ତାବଲାବାଦକ ଭାବରେ ତାଙ୍କର ସୁଖ୍ୟାତି ଥିଲା । ବଡକୋଠାର ଇତିହାସ ସୁଦୂର ପ୍ରସାରୀ ତେବେ ଏ ସବୁ ରାହିଜଯାଇଅଛି ଓଡିଶା ଇତିହାସର ଅଜ୍ଞାତ ଅଧ୍ୟାୟ ମଧ୍ୟରେ ।


What's Your Reaction?

hate hate
0
hate
confused confused
0
confused
fail fail
0
fail
fun fun
0
fun
geeky geeky
0
geeky
love love
0
love
lol lol
0
lol
omg omg
0
omg
win win
0
win

0 Comments

Your email address will not be published. Required fields are marked *

Choose A Format
Personality quiz
Series of questions that intends to reveal something about the personality
Trivia quiz
Series of questions with right and wrong answers that intends to check knowledge
Poll
Voting to make decisions or determine opinions
Story
Formatted Text with Embeds and Visuals
List
The Classic Internet Listicles
Countdown
The Classic Internet Countdowns
Open List
Submit your own item and vote up for the best submission
Ranked List
Upvote or downvote to decide the best list item
Meme
Upload your own images to make custom memes
Video
Youtube, Vimeo or Vine Embeds
Audio
Soundcloud or Mixcloud Embeds
Image
Photo or GIF
Gif
GIF format