ବିଷୟ: ଭ୍ରମଣ କରି
ଯା’ନ୍ତୁ କୋରାପୁଟ ଜିଲ୍ଲାର ଏହି ସବୁ ମନୋରମ ସ୍ଥାନ |
ନିଷ୍କଳଙ୍କ ସତେଜ
ସବୁଜ ଉପତ୍ୟକାର ପୃଷ୍ଠଭୂମି ଉପରେ ଅବସ୍ଥିତ କୋରାପୁଟ ଜିଲ୍ଲା ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ
ଦିନ ଗଠିତ ହେଲା | ଅରଣ୍ୟ, ଜଳପ୍ରପାତ, ଥାକ ଥାକ ସବୁଜିମାଭରା ଉପତ୍ୟକା ଏବଂ ଚଳଚଞ୍ଚଳ ଝରଣାରେ
ପରିଶୋଭିତ ଏହି ଜିଲ୍ଲା ପ୍ରକୃତି ପ୍ରେମୀ ମଣିଷଙ୍କୁ ଆକୃଷ୍ଟ କରିଥାଏ | ଏହାର ପୂର୍ବ ସୀମା
ରାୟଗଡାକୁ, ପଶ୍ଚିମ ସୀମା ଛତିଶଗଡ଼ର ବସ୍ତର ଜିଲ୍ଲାକୁ ଓ ଦକ୍ଷିଣ ସୀମା ମାଲକାନଗିରି ଜିଲ୍ଲାକୁ
ସ୍ପର୍ଶ କରିଛି | ଏହି ଜିଲ୍ଲାର ଇତିହାସ ସଂପର୍କରେ ଉଲ୍ଲେଖ କରିବାକୁ ଗଲାବେଳେ ଏହାର ପ୍ରାଚୀନତା
ଲମ୍ବିଯାଏ ସୁଦୂର ଖ୍ରୀଷ୍ଟପୂର୍ବ ୩ୟ ଶତକକୁ | ଯେତେବେଳେ ଏହା ଦୁର୍ଦ୍ଧଷ ପରାକ୍ରମଶାଳୀ
ଆଟବିକମାନଙ୍କ ଦ୍ବାରା ଅଦ୍ଧୁଷିତ ଥିଲା | ପରବର୍ତ୍ତୀ କାଳରେ ଏହି ଅଞ୍ଚଳ ସାତବାହକ, ନଳ,
ଗଙ୍ଗବଂଶୀ ଆଦି ବିଭିନ୍ନ ରାଜବଂଶଦ୍ବାରା ଏବଂ ଶେଷରେ ସୂର୍ଯ୍ୟବଂଶୀ ରାଜାଙ୍କ ଦ୍ବାରା ଶାସିତ
ହୋଇଥିଲା, ଯେଉଁ ମାନେକି ବ୍ରିଟିଶ ଆଗମନ ପୁର୍ବରୁ କୋରାପୁଟକୁ ମନୋନୀତ କରିଥିଲେ | ପରିଶେଷରେ
କୋରାପୁଟ ୧୯୩୬ ମସିହାରେ ଏକ ଜିଲ୍ଲାର ମାନ୍ୟତା ପାଇଥିଲା |
କୋରାପୁଟ ଜିଲ୍ଲାର
ଆୟତନ ୮୮୦୭ ବର୍ଗ କି.ମି. ଏବଂ ୨୦୧୧ ଜନଗଣନା ଅନୁସାରେ ଏହାର ଜନସଂଖ୍ୟା ୧୩,୭୯,୬୪୭ | ଏହି
ଜିଲ୍ଲା ଦୁଇଟି ଉପଖଣ୍ଡରେ ବିଭକ୍ତ, ଯଥା : କୋରାପୁଟ ଓ ଜୟପୁର |ବହୁ ଭ୍ରମଣ ଯୋଗ୍ୟ ଏୈତିହାସିକ
ସ୍ଥାନ ମଧ୍ୟ ଏ ଜିଲ୍ଲାରେ ରହିଛି | ଯଥା- ଗୁପ୍ତେଶ୍ବର ଶୈବ ପୀଠ, ଶାବର ଶ୍ରୀକ୍ଷେତ୍ର, ଆଦିବାସୀ
ସଂଗ୍ରହାଳୟ, ଜୟପୁର, ଡୁଡୁମା ଜଳପ୍ରପାତ , କୋଲାବ ଡ୍ୟାମ, ଦାମନଯୋଡି, ଜୈନପୀଠ, ମାଳିଗୁଡା ରେଳ
ସୁଡଙ୍ଗ ଇତ୍ୟାଦି | ଏସବୁ ସ୍ଥାନରେ ବର୍ଷସାରା ପର୍ଯ୍ୟଟକ ମାନଙ୍କ ଭିଡ ଲାଗିଥାଏ |
ଏ ଜିଲ୍ଲାର ଅଧିବାସୀ
ମାନେ ପ୍ରବଳ ଆନନ୍ଦ ଉଲ୍ଲାସରେ ବହୁ ପର୍ବପର୍ବାଣି ପାଳନ କରିଥାନ୍ତି | ସେସବୁ ମଧ୍ୟରେ ରହିଛି
ଚଇତ ପରବ, ବାଲିଯାତ୍ରା, ଦଶହରା, ଶିବରାତ୍ରି, ହୋଲି, ରଥଯାତ୍ରା | ତେବେ ମୁଖ୍ୟ ମହୋତ୍ସବ ହେଉଛି
ନୃତ୍ୟ ଓ ସଂଗୀତ ଭିତ୍ତିକ ମହୋତ୍ସବ ‘ପରବ’, ଯାହାକି ପ୍ରତ୍ୟେକ ବର୍ଷ ପାଳନ କରାଯାଏ |
ଜିଲ୍ଲା ପର୍ଯ୍ୟଟନ
କାର୍ଯ୍ୟାଳୟ ୧୯୭୬ ମସିହା ଠାରୁ ଜିଲ୍ଲାପାଳ, କୋରାପୁଟଙ୍କ ପ୍ରଶାସନ ଅଧୀନରେ ରହି କାର୍ଯ୍ୟ କରି
ଆସୁଅଛି | ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ରେଲୱେ ଷ୍ଟେସନ ଠାରେ ଏହି କାର୍ଯ୍ୟାଳୟର ଏକ ସୂଚନା
କେନ୍ଦ୍ର ରହିଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା; ଦର୍ଶକଙ୍କ ଦୃଷ୍ଟି ଅନ୍ତରାଳରେ ରହିଯାଇଥିବା
କୋରାପୁଟ ଜିଲ୍ଲାର ଅବର୍ଣ୍ଣନୀୟ ପ୍ରାକୃତିକ ଶୋଭା ସଂମ୍ପଦକୁ ଲୋକ ଲୋଚନକୁ ଆଣିବା ତଥା
କୋରାପୁଟକୁ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରାଧିକାର ଦେଇ, ଏହାର ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ
ସାଧନ କରିବା ଓ ଏହାକୁ ଜାତୀୟ ତଥା ଆନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା
|
ଆଜି ଆମେ ଆପଣଙ୍କୁ
ଏହି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବିଷୟରେ ଜଣାଇବାକୁ ଚାହିଁବୁ :-
•ଶ୍ରୀ ଜଗନ୍ନାଥ
ମନ୍ଦିର:
କୋରାପୁଟରେ ଜନଜାତି
ସଂଗ୍ରହାଳୟ ନିକଟରେ ଓ ପାହାଡ ଉପରେ , ପୁରୀର ଶ୍ରୀମନ୍ଦିର ପ୍ରତିକୃତି ସମ ମହାପ୍ରଭୁ ଶ୍ରୀ
ଜଗନ୍ନାଥଙ୍କର ଏକ ସୁନ୍ଦର ଓ ଛୋଟ ମନ୍ଦିର ରହିଛି ଯାହା ଶବର କ୍ଷେତ୍ର ନାମରେ ପ୍ରସିଦ୍ଧ | ଏହି
ମନ୍ଦିରରେ ଯେ କେବଳ ପ୍ରଭୁ ଜଗନ୍ନାଥଙ୍କର ଏକ ଆବାସ ସ୍ଥାନ ତାହା ନୁହେଁ, ବରଂ ଏହା ଜଗନ୍ନାଥ
ଚେତନାର ଏକ ବହୁମୁଖୀ ଧର୍ମୀୟ କ୍ଷେତ୍ର | ଏଠାରେ ଜନସାଧାରଣଙ୍କୁ ନିଶୁଳ୍କ ପ୍ରବେଶ କରିବାକୁ
ଦିଆଯାଇ ଥାଏ | ଏପରିକି ଅଣହିନ୍ଦୁ ମାନେ ମଧ୍ୟ ଏଠାରେ ବିରାଜିତ ଶ୍ରୀ ଜିଉ ମାନଙ୍କୁ ଦର୍ଶନ କରି
ପାରିବାର ସୁଯୋଗ ପାଇ ଥା’ନ୍ତି | କୋରାପୁଟର ବନ ପର୍ବତ ପରିବେଷ୍ଟିତ ଏକ ସୁନ୍ଦର ସ୍ଥାନରେ ଏହି
ମନ୍ଦିର ପ୍ରତିଷ୍ଠିତ ଯାହା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର କେନ୍ଦ୍ରବିନ୍ଦୁ | ଯେ କେହି
ବି କୋରାପୁଟ ଜିଲ୍ଲା ଭ୍ରମଣରେ ଯଦି ଯା’ନ୍ତି ଏହି ଶବର ଶ୍ରୀକ୍ଷେତ୍ରକୁ ନଯାଇ ଫେରି ଆସିଲେ,
ତାଙ୍କର କୋରାପୁଟ ଭ୍ରମଣକୁ ଅସମ୍ପୂର୍ଣ ମନେ କରନ୍ତି |
•ମାଳିଗୁଡା:
ଜୟପୁର ଠାରୁ
ପୂର୍ବପଟକୁ ୨୧ କି.ମି ଓ କୋରାପୁଟ ଠାରୁ ୪୩ କି.ମି ଦୂରରେ ଅବସ୍ଥିତ ମାଳିଗୁଡା ପ୍ରଶସ୍ତ ରେଳପଥ
ସୁଡଙ୍ଗ | ବଣଭୋଜି ପାଇଁ ମାଳିଗୁଡା ଏକ ପ୍ରକୃଷ୍ଟ ସ୍ଥାନ ରୁପେ ବିବେଚିତ |
•କୋରାପୁଟ ଜିଲ୍ଲା
ସଦର ମହକୁମା:
ପ୍ରତିବର୍ଷ ଜିଲ୍ଲା
ସସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦର ମହକୁମା କୋରାପୁଟଠାରେ ଆୟୋଜିତ ଅଦିବାସୀ ଉତ୍ସବ ପରବ ନାମରେ
ପରିଚିତ | ଏହା କୋରାପୁଟ ଜିଲ୍ଲାରେ ପାଳିତ ହେଉଥିଲେ ମଧ୍ୟ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା
ପାଇଛି | ମାସ ବ୍ୟାପି ପାଳିତ ହେଉଥିବା ଏହି ଉତ୍ସବରେ ଖେଳ, ନାଚ, ଗୀତ, ନୌକା ଚାଳନା, ତୀର
ଚାଳନା, କବି ସମ୍ମୀଳନି ଆଦି ଅନୁଷ୍ଠିତ ହୋଇଥାଏ | ଜିଲ୍ଲାର ବିଭିନ୍ନ ବ୍ଳକ ତଥା ଦେଶର ବିଭିନ୍ନ
ପ୍ରାନ୍ତରୁ ଆସିଥିବା କଳାକାର ମାନେ ଏହି ଉତ୍ସବରେ ଭାଗ ନେଇଥା’ନ୍ତି | ଜିଲ୍ଲା ସ୍ତରରେ ମୁଖ୍ୟ
ଉତ୍ସବ ୩ ଦିନ ପାଳିତ ହେଉଥିଲେ ମଧ୍ୟ ଏହାର ମେଳା ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ | ଏହି ଉତ୍ସବକୁ
ଉପଭୋଗ କରିବାପାଇଁ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥା’ନ୍ତି | କୋରାପୁଟ ଜିଲ୍ଲା
ସଦର ମହକୁମା କୋରାପୁଟ ରେଳ ଷ୍ଟେସନ ଠାରୁ ୩ କି.ମି ଦୂରତା ରେ ଅବସ୍ଥିତ |
•ବାଲଡା
ଗୁମ୍ଫା:
ବାଲଡା ଗୁମ୍ଫା
କୋରାପୁଟ ଠାରୁ ୬୬ କି.ମି ଦୂରରେ ଅବସ୍ଥିତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୁର୍ଣ୍ଣ ସ୍ଥାନ |
ଏହି ଗୁମ୍ଫାଟି ଯେଉଁ ପାହାଡ ଉପରେ ଅବସ୍ଥିତ, ତାହାର ଉପର ଭାଗ ଚଟାଣ ଏତେ ପ୍ରଶସ୍ତ ଯେ ସେଠାରେ
ଏକକାଳୀନ ୫ଟି ଫୁଟବଲ୍ ମ୍ୟାଚ୍ ଖେଳାଯାଇ ପାରିବ | ଏହାର ଅନତି ଦୂରରେ ଥିବା ଜଲାପୁଟ ଜଳଭଣ୍ଡାରର
ମନୋରମ ଦୃଶ୍ୟ ବେଶ୍ ଉପଭୋଗ୍ୟ | ଚୈତ୍ର ପର୍ବ ସମୟରେ ସ୍ଥାନୀୟ ଲୋକେ ଏହି ଗୁମ୍ଫାରେ ଡଙ୍ଗରଦେଇ
ଦେବୀଙ୍କୁ ପୁଜା କରିଥା’ନ୍ତି | ପର୍ବତାରୋହୀ ଓ ପ୍ରକୃତିପ୍ରେମୀମାନଙ୍କ ପାଇଁ ଏହି ସ୍ଥାନଟି
ସର୍ବୋତ୍କୃଷ୍ଟ |
•ଆଦିବାସୀ ଜନଜାତି
ସଂଗ୍ରହାଳୟ:
ଏହି ସଂଗ୍ରହାଳୟଟି
ଜଗନ୍ନାଥ ମନ୍ଦିରର ପଛପାଖରେ ଅବସ୍ଥିତ | ଏଥିରେ ସଂଗୃହିତ ହୋଇ ରହିଛି – ଏ ଅଞ୍ଚଳରେ ମିଳୁଥିବା
ନାନାବିଧ ଖଣିଜ ପଥର, ଆଦିବାସୀମାନଙ୍କ ବ୍ୟବହୃତ ଅଳଙ୍କାର, ହାତବୁଣା ବସ୍ତ୍ର, ପାରମ୍ପରିକ
ବାଦ୍ୟଯନ୍ତ୍ର, ସେମାନଙ୍କ ଘରକରଣା ଦ୍ରବ୍ୟ, କୃଷି ଉପକରଣ, ଶିକାର ପାଇଁ ବ୍ୟବହୃତ ହାତ-ହତିଆର
ଆଦି | ଏଗୁଡିକୁ ଏଠାରେ ସୁନ୍ଦର ଭାବେ ସୂଚନା ଫଳକ ସହ ସଜାଇ ରଖା ଯାଇଛି | ଏଥିରୁ ପର୍ଯ୍ୟଟକମାନେ
ଏ ଅଞ୍ଚଳର ଆଦିବାସୀମାନଙ୍କ ସଂସ୍କୃତି ସମ୍ପର୍କୀତ ଅନେକ ବିଷୟ ଜାଣିବାର ସୁଯୋଗ ରହିଛି | ଏହି
ସଂଗ୍ରହାଳୟ କୋରାପୁଟ ବସ୍ ଷ୍ଟାଣ୍ଡ୍ ରୁ ୧ କି.ମି ଦୂରତା ରେ ଅବସ୍ଥିତ |
ପରବର୍ତ୍ତୀ
ପୋଷ୍ଟରେ ଆମେ କୋରାପୁଟ ଜିଲ୍ଲାର ଆଉ କେତୋଟି ମୁଖ୍ୟ ପର୍ଯ୍ୟଟନ ସ୍ଥଳ ବିଷୟରେ ଆପଣଙ୍କୁ
ଜଣାଇବୁ | ଏପରି ଉପାଦେୟ ସୂଚନା ପାଇଁ ଆମ ପେଜ୍ ସହ ଯୋଡି ହୋଇ ରହି ଥା’ନ୍ତୁ |
କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ |

Tourist Places of Koraput District
0 Comments